ବାଙ୍ଗାଲୋର: କନ୍ନଡ଼ ଫିଲ୍ମର ଖ୍ୟାତନାମା ଅଭିନେତା ହରିଶ ରାୟ ଆଉ ନାହାନ୍ତି। ତାଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ କନ୍ନଡ଼ ସିନେମାରେ ଶୋକର ଲହର ଖେଳି ଯାଇଛି। ୫୫ ବର୍ଷୀୟ ଏହି ଅଭିନେତା କିଛି ବର୍ଷ ଧରି କ୍ୟାନ୍ସର ସହ ଲଢ଼େଇ କରି ଶେଷରେ ହାରି ଯାଇଛନ୍ତି। ତେବେ ଅଭିନେତା ‘ଅପରେଶନ ଅନ୍ତା, ଓମ୍, ସିବିଆଇ ଦୁର୍ଗା ଭଳି ଫିଲ୍ମରେ ନଜର ଆସିଥିଲେ। ଏହାଛଡ଼ା ସେ କନ୍ନଡ଼ ସିନେମାରେ ସବୁଠାରୁ ସଫଳ ଫିଲ୍ମ ‘କେଜିଏଫ୍ ଏବଂ ‘କେଜିଏଫ୍ ଚାପ୍ଟର ୨’ରେ ନଜର ଆସିଥିଲେ। ଫିଲ୍ମରେ ତାଙ୍କର ଚାଚା ଭୂମିକା ବେଶ ଲୋକପ୍ରିୟ ହୋଇଥିଲେ। ସେ ତାଙ୍କର ଖଳନାୟକ ଭୂମିକା ପାଇଁ ଅଧିକ ଖ୍ୟାତି ଅର୍ଜନ କରିଥିଲେ।
ହରିଶ ଦୀର୍ଘଦିନ ଧରି ଥାଇରଏଡ଼ କ୍ୟାନ୍ସରରେ ପୀଡ଼ିତ ଥଇିଲେ। ଏହି ସମୟରେ କେଜିଏଫ୍ ଷ୍ଟାର ଯଶ ସମେତ ଅନେକ କଳାକାର ତାଙ୍କ ସହାୟତା କରିଥିଲେ। ବାଙ୍ଗାଲୋରର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା, ଯାହାକି ବେଶ ମହଙ୍ଗା ଥିଲା। ପ୍ରତି ୬୩ ଦିନରେ ତାଙ୍କୁ ତିନିଟି ଇଞ୍ଜେକ୍ସନ ଲଗାଯାଉଥିଲା। ଏହାର ମୋଟ ଖର୍ଚ୍ଚ ପ୍ରାୟ ୭୦ ଲକ୍ଷ ଟଙ୍କା ଥିଲା।
ନିଜର ଦୀର୍ଘ ସିନେମା କ୍ୟାରିୟରରେ ହରିଶ କନ୍ନଡ଼ ବ୍ୟତିତ ତାମିଲ ଏବଂ ତେଲୁଗୁ ଫିଲ୍ମରେ କାମ କରିଥିଲେ। ଅନେକ ହିଟ୍ ଫିଲ୍ମରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ।
Dharitri – Odisha’s No.1 Odia Daily