ଶିମଲା,୧୪।୮: ବନ୍ୟା ଏବଂ ବର୍ଷା ଯୋଗୁ ହିମାଚଳର ପରିସ୍ଥିତି ସଙ୍ଗିନ ହୋଇପଡିଛି। ଗୁରୁବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ହିମାଚଳ ପ୍ରଦେଶର କିଛି ସ୍ଥାନରେ ହଠାତ ବନ୍ୟା ଆସିବା ପରେ ଭାରତୀୟ ସେନା ଜଣେ ଆହତ ବ୍ୟକ୍ତିଙ୍କ ସମେତ ଅନ୍ୟ ଚାରି ଜଣଙ୍କୁ ଉଦ୍ଧାର କରିଛି।
ବୁଧବାର ସାରେ ବାଦଲ ଫାଟିବା ଯୋଗୁ ହୋଇଥିବା ବନ୍ୟା ଯୋଗୁ କିନ୍ନୌର ଜିଲାର ରିଷି ଡୋଗ୍ରୀ ଉପତ୍ୟକାର ଉଚ୍ଚ ଅଞ୍ଚଳକୁ ପ୍ରଭାବିତ କରିଥିଲା ଏବଂ ସତଲେଜ ନଦୀ ଉପରେ ଥିବା ପୋଲ ବୁଡ଼ି ଯାଇଥିଲା। ସେନା କହିଛି ଯେ ଏହି ସ୍ଥାନଟି CPWD ଅନ୍ତର୍ଗତ ଗଙ୍ଗଥାଙ୍ଗ ବାର୍ଲାମ ଆଡକୁ ଏକ ସକ୍ରିୟ ରାସ୍ତା ନିର୍ମାଣ କ୍ଷେତ୍ର ଥିଲା।
କିନ୍ନୌର ପୋଲିସ ଅଧିକ୍ଷକଙ୍କ ଠାରୁ ଏକ ଜରୁରୀ ଅନୁରୋଧ ପାଇ, ସେନା ତୁରନ୍ତ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ (HADR) ର ଏକ ଦଳକୁ ମୁତୟନ କରିଥିଲା। ବିବୃତ୍ତିରେ କୁହାଯାଇଛି ଯେ ଅନ୍ଧାର, ପ୍ରବଳ ସ୍ରୋତ ଏବଂ ଅସ୍ଥିର ଭୂମିକୁ ସହ୍ୟ କରି, ଦଳ ଘଟଣାସ୍ଥଳରେ ପହଞ୍ଚି ନଦୀର ଦୂର କୂଳରେ ଚାରି ଜଣ ସାଧାରଣ ନାଗରିକ ଫସି ରହିଥିବା ଦେଖିବାକୁ ପାଇଲା।
ସେହି ସମୟରେ, ବନ୍ୟା ପାଣି ଏତେ ଦ୍ରୁତ ଗତିରେ ବୃଦ୍ଧି ପାଇଲା ଯେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ପାଇଁ ରାସ୍ତା ନିର୍ମାଣ କରୁଥିବା ଏକ ର୍ନିମାଣ କମ୍ପାନୀର ସମ୍ପୂର୍ଣ୍ଣ ଶିବିର ବୁଡ଼ିଗଲା। କମ୍ପାନୀର କର୍ମଚାରୀମାନଙ୍କୁ ଜୀବନ ବଞ୍ଚାଇବା ପାଇଁ ସେଠାରୁ ତୁରନ୍ତ ପଳାଇବାକୁ ପଡିଲା।
ଚ୍ୟାଲେଞ୍ଜିଂ ପରିସ୍ଥିତିରେ ସଠିକତାର ସହିତ କାର୍ଯ୍ୟ କରି, HADR ଦଳ ରାତ୍ରିକାଳୀନ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ସାଧାରଣ ଅଞ୍ଚଳକୁ ଆଲୋକିତ କରିଥିଲେ ଏବଂ ଫସି ରହିଥିବା ନାଗରିକମାନଙ୍କୁ ଉଚ୍ଚ ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ଦଳ ଆହତ ବ୍ୟକ୍ତିଙ୍କୁ ମଧ୍ୟ ବାହାର କରି ରେକଙ୍ଗ ପିଓର ଆଞ୍ଚଳିକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।