ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବର୍ତ୍ତିଲେ ଗାଡ଼ି ଚାଳକ: ଦୋଷ ଲଦାଲଦି ହେଉଛନ୍ତି ରାସ୍ତା ନିର୍ମାଣ ସଂସ୍ଥା-ବିଦ୍ୟୁତ ବିଭାଗ

ଥୁଆମୂଳ ରାମପୁର,୫।୨(ଦୁର୍ଗା କୀର୍ତ୍ତି):ପୂର୍ତ୍ତି ବିଭାଗ ପକ୍ଷରୁ ଥୁଆମୂଳ ରାମପୁର ମୁଖ୍ୟରାସ୍ତା ଉନ୍ନତୀକରଣ କରାଯାଉଛି। ଏଥିରେ କମ୍ପାନୀର ହାଇୱା, ମିକ୍ସଚର ମେଶିନ, ଜେସିବି ଆଦି ନିୟୋଜିତ ହୋଇଛି। ହେଲେ ମୁଖ୍ୟ ରାସ୍ତା ଉପରେ ୩୩କେଭି ବିଦ୍ୟୁତ୍‌ ତାର ସଂଯୋଗ ହୋଇଥିବାରୁ ଦୁର୍ଘଟଣାର କାରଣ ସାଜୁଛି। ମଙ୍ଗଳାବର ଜଣେ ମିକ୍ସର ଚାଳକ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାକ୍ରମେ ଡାକକୋଟା ଗ୍ରାମର କାନ୍ତ ଗୌଡ଼ (୩୫) ମିକ୍ସଚର ମେଶିନ ନେଇ ମାଣିକେଶ୍ବରୀ ମନ୍ଦିରପଟୁ ବ୍ଲକ ଆଡ଼କୁ ଆସୁଥିଲେ। କଳମପୁର ଛକରେ ହଠାତ୍‌ ଏକ ବାଇକ୍‌ ଆଗକୁ ଚାଲିଆସିବାରୁ ଚାଳକ ବାମପଟକୁ କାଟିବା ବେଳେ ଗାଡିଟି ୩୩କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲା। ଚାଳକ କାନ୍ତ ତଳକୁ ଡେଇଁପଡି ଜୀବନ ବଞ୍ଚାଇଥିଲେ ମଧ୍ୟ ବିଦ୍ୟୁତ୍‌ ଆଘାତରେ ତାଙ୍କର ବାମଗୋଡ ଓ ହାତର କିଛି ଅଂଶ ପୋଡିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ମରାମତି ଯନ୍ତ୍ରୀ ସୁନିଲ କୁମାର ରାଉଲଙ୍କୁ ପଚାରିବାରୁ ଯେଉଁ ଦୁର୍ଘଟଣା ଘଟି ମିକ୍ସଚର୍‌ ମେଶିନ ଡ଼୍ରାଇଭର ଆହତ ହୋଇଛନ୍ତି ସେଥିରେ ତାଙ୍କ ବିଭାଗର କିଛି ଭୁଲ ନାହିଁ ବୋଲି କହିଥିଲେ।