ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ ଆଶା ଏବେ ବି ଲୋକଙ୍କ ମନରେ ରହିଛି। ହେଲେ ସେହି ପୁଅ ବଞ୍ଚି ଥାଉ ଥାଉ ମା’ ପାଟିରେ ବିଷ ଦେଇ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପାରୁଳିଆ ଗ୍ରାମରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଅମାନବୀୟ କାର୍ଯ୍ୟ ଦେଖିବା ପରେ ପଡ଼ୋଶୀ ହତ୍ୟାକାରୀ ପୁଅ ଲକ୍ଷ୍ମୀକାନ୍ତ ଦଳେଇ(୩୫)ଙ୍କୁ ଗଛରେ ବାନ୍ଧି ନିର୍ଧୁମ ମାଡ଼ ମାରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଲକ୍ଷ୍ମୀକାନ୍ତଙ୍କୁ ଉଦ୍ଧାର କରି ଗିରଫ କରିଛି।
ସୂଚନା ଅନୁଯାୟୀ, ପାରୁଳିଆ ଗ୍ରାମର ବିଧବା ପଦ୍ମାବତୀ ଦଳାଇ (୭୦)ଙ୍କ ଏକମାତ୍ର ପୁଅ ଲକ୍ଷ୍ମୀକାନ୍ତ ଅଧିକାଂଶ ସମୟ ନିଶାଗ୍ରସ୍ତ ଅବସ୍ଥାରେ ରହି ସ୍ତ୍ରୀ, ପିଲାଛୁଆ ଓ ମା’ଙ୍କ ସହିତ ଗଣ୍ଡଗୋଳ କରି ଘର ପରିବେଶକୁ ଅଶାନ୍ତ କରିଥାନ୍ତି। ବୃଦ୍ଧା ମା’ଙ୍କୁ ଅଧିକାଂଶ ଦିନ ପେଟପୂରା ଖାଇବାକୁ ନ ଦେବା ଓ ପିନ୍ଧିବାକୁ ବସ୍ତ୍ର ନ ଦେଇ ମାଡ଼ ମାରିବା ଭଳି ଘଟଣା ଘଟାଇଥାନ୍ତି। କେହି ତାଙ୍କୁ ଛଡ଼ାଇବାକୁ ଗଲେ ସେମାନଙ୍କୁ ମଧ୍ୟ ସେ ମାରପିଟ୍ କରିବାକୁ ପଛାଇ ନ ଥାନ୍ତି। ଗୁରୁବାର ଲକ୍ଷ୍ମୀକାନ୍ତଙ୍କ ଔଦ୍ଧତ୍ୟ ସୀମା ଟପିଯାଇଥିଲା। ପ୍ରଥମେ ମା’ଙ୍କ ସହିତ କଳି କରି ଖାଇବାକୁ ନ ଦେଇ ଘରୁ ବାହାର କରିଦେଇଥିଲେ। ପରେ ବୃଦ୍ଧାଜଣକ ଘରକୁ ରାତିରେ ଭୟରେ ଲୁଚି ଆସି ବାରଣ୍ଡାରେ ଶୋଇଥିଲେ। ଶୁକ୍ରବାର ସକାଳେ ଲକ୍ଷ୍ମୀକାନ୍ତ ତାଙ୍କ ସ୍ତ୍ରୀ ଓ ୨ ପିଲାଙ୍କୁ ନେଇ ଶ୍ୱଶୁରଘରେ ଛାଡ଼ିଦେଇ ଆସିଥିଲେ। ସେଠାରୁ ସେ ଘରକୁ ଫେରିବା ପରେ ବାରଣ୍ଡାରେ ଶୋଇଥିବା ମା’ଙ୍କ ପାଟିରେ ଜବରଦସ୍ତ କୀଟନାଶକ ପିଆଇ ଦେଇଥିଲେ। ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ପଡୋଶୀ ଓ ଗ୍ରାମବାସୀ ଏହା ଜାଣିବା ପରେ ଲକ୍ଷ୍ମୀକାନ୍ତଙ୍କୁ କୌଶଳକ୍ରମେ କାବୁ କରି ବିଲ ପାଖ ଏକ ଗଛରେ ବାନ୍ଧି ପିଟିଥିଲେ। ଖବରପାଇ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାତୃ ହତ୍ୟାକାରୀଙ୍କୁ ଉଦ୍ଧାର କରି ପଚରାଉଚରା କରିବା ପରେ ଗିରଫ କରିଥିଲା। ଏନେଇ ବୃଦ୍ଧାଙ୍କ ସମ୍ପର୍କୀୟ ନାତି ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୬/୨୬) ରୁଜୁ କରି ତଦନ୍ତ ଜାରି ରଖିଛି। ବୃଦ୍ଧାଙ୍କ ମୃତଦେହକୁ ଭୋଗରାଇ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି l ଲକ୍ଷ୍ମୀକାନ୍ତଙ୍କ ନାମରେ ପୂର୍ବରୁ ଅନେକ ଫୌଜଦାରି ମାମଲା ରହିଛି ବୋଲି ପୋଲିସ ସୂଚନା ଦେଇଛି।