ଖଡ଼ିଆଳ,୧୧ା୭ (ସୁଜିତ କୁମାର ପ୍ରଧାନ):ପୁଅ ବଦଳରେ ମା’ଙ୍କୁ ଇଞ୍ଜେକଶନ ଦେଲେ ଜଣେ ଷ୍ଟାଫନର୍ସ। ଶୁକ୍ରବାର ଏଭଳି ଏକ ଘଟଣା ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ସମ୍ପୃକ୍ତ ଷ୍ଟାଫ୍ନର୍ସ ଘଟଣାକୁ ଅସ୍ବୀକାର କରିଥିବାବେଳେ ମେଡିକାଲ ଇନ୍ଚାର୍ଜ ଏହାର ତଦନ୍ତ ହେବ ବୋଲି କହିଛନ୍ତି। ସୂଚନା ମୁତାବକ ଖଡ଼ିଆଳ ବ୍ଲକ ବରଗାଁର ରାଜୁ ତାଣ୍ଡି ଓ ଅଞ୍ଜୁ ତାଣ୍ଡି ନିଜର ଦୁଇବର୍ଷର ପୁଅ ଡୁଲେଶ୍ୱରଙ୍କୁ ଜ୍ୱର ହେବାରୁ ପୂର୍ବାହ୍ନରେ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେମାନେ ଶିଶୁ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର କୁମାର ମାଝୀଙ୍କୁ ଦେଖାଇଥିଲେ। ଡାକ୍ତର ଚିଠା ଲେଖି ଇଞ୍ଜେକଶନ ଦେବା ପାଇଁ ନର୍ସଙ୍କ ପାଖକୁ ପଠାଇଥିଲେ। କାର୍ଯ୍ୟରତ ନର୍ସ ଛୁଆ ବଦଳରେ ମା’ ଅଞ୍ଜୁଙ୍କ ପେଟରେ ଇଞ୍ଜେକଶନ ଫୋଡ଼ି ଦେଇଥିଲେ। ଇଞ୍ଜେକଶନ ନେବା ପରେ ତାଙ୍କ ପେଟ ଦରଜ ହେଉଥିବା ଅଞ୍ଜୁ କହିଛନ୍ତି। ଏ ନେଇ ସମ୍ପୃକ୍ତ ନର୍ସଙ୍କୁ ପଚାରିବାରୁ ସେ ଘଟଣାକୁ ଅସ୍ବୀକାର କରିବା ସହ ଇଞ୍ଜେକଶନ ଫୋଡ଼ିବା ସମୟରେ ବାଜି ଯାଇଥିବ ବୋଲି କହିଥିଲେ। ମେଡିକାଲ ଇନଚାର୍ଜ ଡାକ୍ତର ମହେନ୍ଦ୍ର କୁମାର ମାଝୀଙ୍କୁ ପଚାରିବାରୁ ଏହାର ତଦନ୍ତ ହେବ ବୋଲି କହିବା ସହ ଅଞ୍ଜୁଙ୍କ ଚିକିତ୍ସା କରାଯାଇଛି, କୌଣସି ଅସୁବିଧା ହେବ ନାହିଁ ବୋଲି ପ୍ରକାଶ କରିଥିଲେ।