ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି, ବିଶେଷଜ୍ଞଙ୍କ ଦମ୍ଭୋକ୍ତି ତଥା ଭୋଟ ରାଜନୀତିରେ ଭାଷା ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ବିଗତ କେତେ ଦଶନ୍ଧି ଧରି ଅନେକଙ୍କ ମନରେ ଏକ ଭ୍ରମ ଧାରଣା ଗଢ଼ିଉଠିଛି ଯେ ଉନ୍ନତି ପାଇଁ ମାତୃଭାଷାକୁ ପଛକୁ ରଖି ଅନ୍ତର୍ଜାତୀୟ ଭାଷାକୁ ଅଙ୍ଗୀକାର କରିବା ଦରକାର। ଅଭିଭାବକମାନେ ଶିଶୁମାନଙ୍କୁ ବିଦେଶୀ ଭାଷା ମାଧ୍ୟମରେ ପଢ଼ାଇବାକୁ ଭବିଷ୍ୟତ ସଫଳତାର ଏକମାତ୍ର ଉପାୟ ବୋଲି ଭାବୁଛନ୍ତି। କିନ୍ତୁ ଶିକ୍ଷା ମନୋବିଜ୍ଞାନ ଓ ବିଶ୍ୱ ଅନୁଭବ କହୁଛି, ଏହି ଧାରଣା ଏକ ଅର୍ଦ୍ଧସତ୍ୟ। ଉନ୍ନତିର ମୂଳ ଅନୁକରଣରେ ନୁହେଁ; ଏହା ଗଭୀର ବୁଝାମଣାରେ ନିହିତ ରହିଥାଏ। ଏବଂ ସେହି ବୁଝାମଣାର ଆରମ୍ଭ ହୁଏ ମାତୃଭାଷାରୁ।
ଶିଶୁ ଯେଉଁ ଭାଷାରେ ପ୍ରଥମେ ଜଗତକୁ ଚିହ୍ନି ଥାଏ, ମା’ର ସ୍ନେହକୁ ଅନୁଭବ କରିଥାଏ, ଗପ ଶୁଣେ ଓ ଚାରିପାଖର ଜୀବନକୁ ବୁଝେ; ସେହି ଭାଷା ତା’ର ଚିନ୍ତନର ଭିତ୍ତି। ଯଦି ପ୍ରାଥମିକ ଶିକ୍ଷା ଏହି ଭାଷାରେ ଦିଆଯାଏ, ତେବେ ଧାରଣାଗତ ସ୍ପଷ୍ଟତା ବଢ଼େ, ସମାଲୋଚନାତ୍ମକ ଚିନ୍ତନ ଶକ୍ତି ବିକଶିତ ହୁଏ ଓ ଆତ୍ମବିଶ୍ୱାସ ଦୃଢ଼ ହୁଏ। ଯଦି ଶିଶୁମାନଙ୍କୁ ଅଜଣା ଭାଷାରେ ଗଣିତ କିମ୍ବା ବିଜ୍ଞାନ ପଢ଼ାଯାଏ, ସେମାନେ ପ୍ରଥମେ ଭାଷାକୁ ବୁଝିବାରେ ଶକ୍ତି ବ୍ୟୟ କରନ୍ତି, ପରେ ବିଷୟକୁ ବୁଝିବାରେ ସାମର୍ଥ୍ୟ ବିନିଯୋଗ କରିଥାନ୍ତି। ଏହାଦ୍ବାରା ଶିକ୍ଷାର ଗଭୀରତା ବୃଦ୍ଧି ପାଏ ନାହିଁ, ବରଂ କେବଳ ପାଠ୍ୟାନୁସ୍ମୃତି ହୋଇରହିଯାଏ। କିନ୍ତୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରାଗଲେ ଶିଶୁ ସିଧାସଳଖ ବିଷୟକୁ ବୁଝେ; ପ୍ରଶ୍ନ କରିବାରେ ସଙ୍କୋଚ କରେନାହିଁ; ନିଜର ଚିନ୍ତାକୁ ପ୍ରକାଶ କରିବାରେ ଭୟଭୀତ ହୁଏନାହିଁ। ଏହା ତାଙ୍କର ବୁଦ୍ଧିମତ୍ତାର ଦୃଢ଼ ଆଧାର ସୃଷ୍ଟି କରେ।
ମାତୃଭାଷା କେବଳ ଶିକ୍ଷାର ମାଧ୍ୟମ ନୁହେଁ, ଏହା ଭାବନାର ଭିତ୍ତି। ଶିଶୁ ଯେଉଁ ଭାଷାରେ ଘରେ ଆଲୋଚନା କରେ, ଗୀତ ଶୁଣେ, ଲୋକକଥା ଶୁଣେ, ସେହି ଭାଷା ତାଙ୍କର ମନୋବଳକୁ ସୁଦୃଢ଼ କରେ। ଯଦି ବିଦ୍ୟାଳୟରେ ସେହି ଭାଷାକୁ ସ୍ଥାନ ମିଳେନାହିଁ, ଶିଶୁ ଘର ଓ ପାଠଶାଳା ମଧ୍ୟରେ ଏକ ଦୂରତ୍ୱ ଅନୁଭବ କରେ। ଏହି ଦୂରତ୍ୱ ଆତ୍ମବିଶ୍ୱାସକୁ କ୍ଷୀଣ କରେ। ତେଣୁ ମାତୃଭାଷା ଆଧାରିତ ଶିକ୍ଷା ଭାବନାତ୍ମକ ସ୍ଥିରତା ଓ ସାମାଜିକ ସମାନତାକୁ ମଜଭୁତ କରେ। ଏହା ଶିଶୁଙ୍କୁ ନେତୃତ୍ୱ ଓ ସାମାଜିକ ଦାୟିତ୍ୱର ପଥରେ ଆଗକୁ ବଢ଼ାଏ।
ବିଶ୍ୱର ଉନ୍ନତ ଦେଶଗୁଡ଼ିକ ଅନୁଭବ ଏହାକୁ ସ୍ପଷ୍ଟ କରେ। ଫିନ୍‌ଲାଣ୍ଡ ତାହାର ମାତୃଭାଷାକୁ ଆଧାର କରି ଶିକ୍ଷା ପ୍ରଣାଳୀକୁ ଶକ୍ତିଶାଳୀ କରିଛି ଏବଂ ଶିକ୍ଷାରେ ବିଶ୍ୱରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଜାପାନ ଜାପାନୀ ଭାଷାରେ ବିଜ୍ଞାନ ଓ ପ୍ରଯୁକ୍ତିକୁ ଉନ୍ନତ କରି ଶିଳ୍ପୀକରଣରେ ଅଗ୍ରଗାମୀ ହୋଇଛି। ଚାଇନା ମାନ୍ଦାରିନ ଭାଷାକୁ ଆଧାର କରି ଅର୍ଥନୈତିକ ଶକ୍ତିରେ ପରିଣତ ହୋଇଛି। ଦକ୍ଷିଣ କୋରିଆ ଓ ଇସ୍ରାଏଲ ମଧ୍ୟ ନିଜ ଭାଷାରେ ଶିକ୍ଷା ଓ ଗବେଷଣାକୁ ଅଗ୍ରସର କରି ବିଶ୍ୱସ୍ତରରେ ପ୍ରଗତି କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଦଖଲ କରିଛନ୍ତି। ରୁଷିଆ ନିଜ ମାତୃଭାଷାକୁ ସମସ୍ତ ଶିକ୍ଷାର ମାଧ୍ୟମ କରି ବିଶ୍ବରେ ଉନ୍ନତିର ଶିଖରରେ ପହଞ୍ଚିଛି। ଯୁକ୍ତରାଷ୍ଟ୍ର ଆମେରିକା ଓ ଇଂଲଣ୍ଡ ନିଜ ମାତୃଭାଷା ଇଂଲିଶକୁ ଆଧାର କରି ସମସ୍ତ କାର୍ଯ୍ୟ ପରିଚାଳନା କରି ବିଶ୍ବର ଉନ୍ନତ ରାଷ୍ଟ୍ର ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ସେମାନେ ଉନ୍ନତି ପାଇଁ ନିଜ ଭାଷାକୁ ଛାଡ଼ିନାହାନ୍ତି; ବରଂ ନିଜ ଭାଷାରେ ଆତ୍ମବିଶ୍ୱାସ ବୃଦ୍ଧି କରିଛନ୍ତି।
ମାତୃଭାଷାର ବ୍ୟବହାର ଓ ସାମଗ୍ରିକ ପ୍ରଗତି କ୍ଷେତ୍ରରେ ଭାରତର ଅଭିଜ୍ଞତା ମଧ୍ୟ ଏହି ତଥ୍ୟକୁ ସମର୍ଥନ କରେ। କେରଳ ମାଲୟାଲମ ଭାଷାକୁ ଶିକ୍ଷାର ଆଧାର କରି ଉଚ୍ଚ ସାକ୍ଷରତା ଓ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ପ୍ରଭୂତ ଉନ୍ନତି ହାସଲ କରିଛି। କର୍ନାଟକ କନ୍ନଡ ଭାଷାକୁ ପ୍ରାଧାନ୍ୟ ଦେଇ ବିଶ୍ୱ ଆଇଟି ମାନଚିତ୍ରରେ ଶକ୍ତିଶାଳୀ ସ୍ଥାନ ନେଇଛି। ପଶ୍ଚିମବଙ୍ଗ ବଙ୍ଗଳା ଭାଷାକୁ ଆଧାର କରି ସାହିତ୍ୟ ଓ ବୁଦ୍ଧିଜୀବୀ ପରମ୍ପରାକୁ ଜୀବନ୍ତ ରଖିଛି। ଏହି ଉଦାହରଣଗୁଡ଼ିକ ପ୍ରମାଣ କରେ ଯେ ଆଞ୍ଚଳିକ ଭାଷା ଓ ଆର୍ଥିକ ଅଗ୍ରଗତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ।
ଆର୍ଥିକ ଉନ୍ନତିର ଏକମାତ୍ର ମାଧ୍ୟମ ଭାବେ ଇଂଲିଶକୁ ଦେଖିବା ଏକ ମାନସିକ ଭ୍ରାନ୍ତି। ଆର୍ଥିକ ସଫଳତାର ମୂଳ ହେଉଛି ସୃଜନଶୀଳତା, ନୂତନ ଚିନ୍ତନ ଓ ଗଭୀର ବୁଝାମଣା। ଏହି ଗୁଣଗୁଡ଼ିକ ମାତୃଭାଷାର ବ୍ୟବହାର ଦ୍ୱାରା ଦୃଢ଼ ଭାବରେ ଉନ୍ନତି କରେ। ମାତୃଭାଷା ଆଧାରିତ ଶିକ୍ଷା ଛାତ୍ରୀଛାତ୍ରଙ୍କ ଅନୁପସ୍ଥିତି ହାର କମାଏ, ସମାବେଶୀ ଶିକ୍ଷାକୁ ପ୍ରୋତ୍ସାହନ ଦିଏ ଓ ଦକ୍ଷ ମାନବ ସମ୍ବଳ ବିକାଶରେ ସହାୟକ ହୁଏ। ଏହା ଦେଶର ଆର୍ଥିକ ଭିତ୍ତିକୁ ମଜଭୁତ କରେ। ଏଥିସହିତ ଭାଷା ସାଂସ୍କୃତିକ ଓ ନୈତିକ ମୂଲ୍ୟର ଭଣ୍ଡାର। ଲୋକକଥା, ପ୍ରବଚନ, ଐତିହ୍ୟ, ଧାର୍ମିକ ଓ ସାମାଜିକ ଆଦର୍ଶ, ସବୁ ମାତୃଭାଷାରେ ସଞ୍ଚରିତ ହୋଇଥାଏ। ଯଦି ଏହି ମାତୃଭାଷାକୁ ଶିକ୍ଷାରୁ ବାଦ ଦିଆଯାଏ, ସମାଜର ସାଂସ୍କୃତିକ ସତ୍ତା ଦୁର୍ବଳ ହୋଇଯାଏ। ତେଣୁ ମାତୃଭାଷା ରକ୍ଷା କରିବା ଅର୍ଥ ସଂସ୍କୃତି ଓ ନୈତିକ ଭିତ୍ତିକୁ ରକ୍ଷା କରିବା ବୁଝାଯାଏ ।
ଏହା ମନେ ରଖିବା ଆବଶ୍ୟକ ଯେ ମାତୃଭାଷାକୁ ସୁଦୃଢ଼ କରିବାର ଅର୍ଥ ଅନ୍ତର୍ଜାତୀୟ ଭାଷାକୁ ବାଦ ଦେବା ନୁହେଁ। ପ୍ରଥମେ ମାତୃଭାଷାରେ ଦୃଢ଼ ଭିତ୍ତିଭୂମି ଗଢ଼ି, ପରେ ଅନ୍ୟ ଭାଷାକୁ ଶିଖିବା ହେଉଛି ଠିକ ପଥ। ଏହା ଶିଶୁଙ୍କୁ ଦୁଇଟି ଲାଭ ଦିଏ; ନିଜର ମୌଳିକ ବିଶ୍ୱାସ ସହିତ ନିବିଡତା ଓ ବିଶ୍ୱ ସହିତ ଉତ୍ତମ ସଂଯୋଗ।
ବିଶ୍ୱ ଓ ଭାରତୀୟ ଅନୁଭବର ତୁଳନାତ୍ମକ ବିଶ୍ଳେଷଣରୁ ଏହା ସ୍ପଷ୍ଟ ଯେ; ମାତୃଭାଷା ହେଉଛି ସମଗ୍ର ଉନ୍ନତିର ମୂଳ ଆଧାର। ମାତୃଭାଷା ବ୍ୟକ୍ତିର ବୁଦ୍ଧିମତ୍ତାକୁ ସ୍ବାଧୀନ ଓ ସୃଜନଶୀଳ କରେ; ଏହା ଚିନ୍ତନ ଶକ୍ତିରେ ଆତ୍ମନିର୍ଭରତା ପ୍ରଦାନ କରେ । ଏହା ଭାବନାତ୍ମକ ସହନଶୀଳତା ବଢ଼ାଇ ସମାଜରେ ଏକତା ଓ ସାମ୍ବିଧାନିକ ସମ୍ମାନବୋଧକୁ ସୁଦୃଢ଼ କରେ। ମାତୃଭାଷା ସାଂସ୍କୃତିକ ଅଖଣ୍ଡତାକୁ ସୁଦଢ଼ କରି ମୂଳ ସହିତ ସଂଯୋଗକୁ ଜୀବନ୍ତ ରଖେ ଏବଂ ନୈତିକ ପରିପକ୍ୱତାକୁ ପୋଷଣ ପ୍ରଦାନ କରେ। ଏହା କେବେ ମଧ୍ୟ ଆର୍ଥିକ ଆଧୁନିକୀକରଣରେ ବାଧା ସୃଷ୍ଟି କରେନାହିଁ; ବରଂ ଦୃଢ଼ ମୌଳିକଭିତ୍ତି ଉପରେ ଦଣ୍ଡାୟମାନ ଥିବା ବ୍ୟକ୍ତିକୁ ବିଶ୍ୱମାନବ ଭାବେ ଗଢ଼ିତୋଳେ। ମାତୃଭାଷା ଆଧାରିତ ଶିକ୍ଷା ଆତ୍ମବିଶ୍ୱାସୀ ତଥା ବହୁଭାଷୀତ୍ୱକୁ ସମ୍ଭବ କରେ, ଯେଉଁଠାରେ ଜଣେ ନିଜ ମୂଳକୁ ଅକ୍ଷୁଣ୍ଣ ରଖି ଅନ୍ୟ ଭାଷାରେ ନିଜର ଆଧିପତ୍ୟ ବିସ୍ତାର କରିପାରେ। ଯେଉଁ ପ୍ରଗତି ପଥ ମାତୃଭାଷାକୁ ଅବହେଳା କରେ, ତାହା ମନୋବୈଜ୍ଞାନିକ ସୁରକ୍ଷା ଓ ସାଂସ୍କୃତିକ ଅବିଚ୍ଛିନ୍ନତାକୁ ଦୁର୍ବଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ଭାଷା କେବଳ ଶବ୍ଦର ମାଧ୍ୟମ ନୁହେଁ; ଏହା ଗଭୀର ଚିନ୍ତନର ଦ୍ବାର, ସଂସ୍କୃତିର ଭିତ୍ତି ଓ ବ୍ୟକ୍ତିତ୍ୱର ଆଧାର। ଯଦି ଆମେ ଦେଶକୁ ସର୍ବକାଳୀନ ଭାବେ ଶକ୍ତିଶାଳୀ କରିବାକୁ ଚାହୁଁ, ତେବେ ମାତୃଭାଷାକୁ ଶିକ୍ଷା ଓ ନୀତିର କେନ୍ଦ୍ର ସ୍ଥାନରେ ରଖିବା ଦରକାର। ମୂଳ ସୁଦୃଢ଼ ହେଲେ ବୃକ୍ଷ ଆକାଶକୁ ସ୍ପର୍ଶ କରିବାର ସମ୍ଭାବନା ସୃଷ୍ଟି କରିଥାଏ। ତେଣୁ ଉନ୍ନତିର ପଥ ମାତୃଭାଷାରୁ ଆରମ୍ଭ ହୋଇ, ସ୍ଥାନୀୟ ଭିତ୍ତିରେ ଦୃଢ଼, ବିଶ୍ୱ ସହିତ ସଂଯୁକ୍ତ ହେଉ।

ଦେବେନ୍ଦ୍ର ନାଥ ରାଉତ
ନୂଆଦିଲ୍ଲୀ, ମୋ: ୯୩୫୦୧୨୭୩୭୦