ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ ମା’-ପୁଅ: ଏବେ ଜେଲ୍‌ରେ…

ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଏସ୍‌.ଚାଞ୍ଚଡାପଲ୍ଲୀ ଗ୍ରାମର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ପାତ୍ରଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ ଘଟଣାରେ ସୋମବାର ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ୍‌ଆଇ ରାଜ କିଶୋର ପାତ୍ର ଅଭିଯୁକ୍ତ ଜାଇଲ ମଣ୍ଡଳ ଓ ତାଙ୍କ ପୁଅ ଚେରୁ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ଥାନା ମାମଲା ନଂ.୪୫୪/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ରାତିପ୍ରାୟ ସାଢ଼େ ୧୦ଟାରେ ଚେରୁ ଓ ତାଙ୍କ ମା’ ଜାଇଲ ଗଗନଙ୍କ ଘରେ ପଶି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଗଗନଙ୍କ ମୁହଁ, ହାତ ଓ ପିଠିକୁ କାମୁଡି ଖଣ୍ଡିଆ ଖାବରା କରିଦେଇଥିଲେ। ସ୍ବାମୀଙ୍କୁ ଉଦ୍ଧାର କରିବା ବେଳେ ୪ ମାସର ଗର୍ଭବତୀ ଥିବା ରାଜେଶ୍ୱରୀଙ୍କୁ ଉଭୟେ ଅସଦାଚରଣ କରିବା ସହ ଲାତ, ଗୋଇଠା ମାରିଥିଲେ। ଘଟଣାର ପରଦିନ ଗଗନ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଏସଆଇଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ।

Dharitri – Odisha’s No.1 Odia Daily