ପ୍ରକୃତିମାତା ଓ ଚତୁର୍ମାସ୍ୟା

ନଗେନ୍ଦ୍ର ନାଥ ପଟ୍ଟନାୟକ

ଆଷାଢ଼ ମାସ ଶୁକ୍ଳପକ୍ଷ ଦେବଶୟନ ଏକାଦଶୀରୁ ଦେବୋତ୍ଥାନ ପର୍ଯ୍ୟନ୍ତ ଚାରି ମାସର ଅବଧି ସନାତନ ହିନ୍ଦୁ ସଂସ୍କୃତିରେ ବିଶେଷ ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରିଥାଏ। ବୈଦିକ ଯୁଗର ମୁନିଋଷିଗଣ ଚାରି ମାସର ଏଇ ଚତୁର୍ମାସ କାଳଖଣ୍ଡକୁ ଶାରୀରିକ ତଥା ମାନସିକ ଉତ୍କର୍ଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରନ୍ତି। ପୌରାଣିକ ଦୃଷ୍ଟିରୁ ବିଚାରିଲେ ଦେବଶୟନ ଏକାଦଶୀରୁ ହିଁ ବିଶ୍ୱବ୍ରହ୍ମାଣ୍ଡର ପାଳନକର୍ତ୍ତା ଭଗବାନ ବିଷ୍ଣୁ ଚାରିମାସ ଯୋଗନିଦ୍ରାରେ ଶୟନ କରନ୍ତି ଏବଂ ତାଙ୍କ ସାଙ୍ଗରେ ତାଙ୍କର ସାହଚର୍ଯ୍ୟ ଦେବଶକ୍ତି ବି ନିଷ୍କ୍ରିୟ ଓ ନିସ୍ତେଜ ହୋଇଯାଏ। ପରିଣାମତଃ ଆସୁରିକ ଶକ୍ତିର ପ୍ରକୋପ ଅଧିକରୁ ଅଧିକ ବଢ଼ିଚାଲେ। ଏଭଳି ସ୍ଥିତିରେ ନକାରାତ୍ମକ ଶକ୍ତିଗୁଡ଼ିକୁ ନିର୍ମୂଳ କରିବା ନିମନ୍ତେ ଏ ଅବଧି ମଧ୍ୟରେ ସୃଷ୍ଟି ସଞ୍ଚାଳନର ଦାୟିତ୍ୱ ମହାଦେବ ନିଜ କାନ୍ଧକୁ ନେଇଥାନ୍ତି। ଖାସ୍‌କରି ଏହି କାରଣରୁ ଚାରିମାସ କାଳ ବିଶେଷରୂପେ ଭଗବାନ ଶିବଙ୍କୁ ନିଷ୍ଠା ତଥା କାଷ୍ଠାର ସହ ପୂଜନ ଓ ଅଭିଷେକ କରାଯିବାର ସମୃଦ୍ଧ ପରମ୍ପରା ପ୍ରଚଳିତ ହୋଇଅଛି।
ଭାରତବର୍ଷରେ ସନାତନ ଜ୍ଞାନତନ୍ତ୍ରର ଏହି ବିଜ୍ଞାନସମ୍ମତ ନିଷ୍କର୍ଷକୁ ଆଧୁନିକ ପରିପ୍ରେକ୍ଷୀରେ ଖୁବ୍‌ ଗମ୍ଭୀରତାର ସହ ହୃଦୟଙ୍ଗମ କରିବା ପ୍ରୟୋଜନ। ଆମ ଦେଶର ତତ୍ତ୍ୱଦର୍ଶୀ ଋଷି ମନୀଷୀମାନଙ୍କ ଉପଲବ୍ଧି ଅନୁସାରେ ପ୍ରକୃତିମାତା ସହିତ ଆମ ତନୁମନର ନିବିଡ଼ ସମ୍ପର୍କ ରହିଛି। ସେହି ଦୃଷ୍ଟିରୁ ବର୍ଷାଋତୁ ଆଗମନରେ ସେମାନେ ଆମ ଜୀବନଶକ୍ତିକୁ ସୁଦୃଢ଼ ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ଚାରିମାସର ଅବଧି ମଧ୍ୟରେ ପୂଜାପାଠ, ଜପତପ ଓ ଯୋଗଧ୍ୟାନ ସାଙ୍ଗକୁ ଆହାର-ବିହାରର ତମାମ ନିୟମ ଓ ଅଧିନିୟମ ନିର୍ଦ୍ଧାରଣ କରିଥିଲେ।
ସୂତ୍ର ଆଧାରରେ ବିଚାରିଲେ ପ୍ରକୃତ ଅର୍ଥରେ ଚତୁର୍ମାସ କାଳଖଣ୍ଡ ପ୍ରକୃତିମାତାକୁ ସ୍ବାଭାବିକତା ଶିଖାଇବା ସାଙ୍ଗକୁ ଆମକୁ ସଂଯମତା ଓ ସଦାଚାରର ପ୍ରେରଣା ଦେଇଥାଏ। ଭାରତୀୟ ଆୟୁର୍ବେଦର ମନୀଷୀଙ୍କ ମତ ଅନୁସାରେ ସୂର୍ଯ୍ୟ ଅବା ଅଗ୍ନିତତ୍ତ୍ୱ ପୋଷଣ ଦୃଷ୍ଟିରୁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ସୁତରାଂ ବର୍ଷାକାଳରେ ପ୍ରକୃତିସାପେକ୍ଷ ଶରୀରର ଜଠାଗ୍ନି ମାନ୍ଦା ପଡ଼ିଯିବାରୁ ପାଚନଶକ୍ତି କ୍ରମଶଃ ଅଶକ୍ତ ହୋଇଯାଏ। ଫଳରେ ଶରୀରରେ ସଂକ୍ରାମକ ରୋଗଗୁଡ଼ିକ କାୟା ବିସ୍ତାରିବାକୁ ଲାଗେ। ମୌସୁମୀ ସମୟରେ ସୂର୍ଯ୍ୟଙ୍କ ଉତ୍ତାପ ତଥା ତେଜ ଧୀରେ ଧୀରେ ହ୍ରାସପାଏ ଓ ତୁହାକୁତୁହା ବର୍ଷା ସହିତ ପ୍ରକୃତି ଜଳତତ୍ତ୍ୱର ପ୍ରାବଲ୍ୟରୁ ନରମ ବା ସନ୍ତସନ୍ତିଆ ହୋଇଯାଏ। ଫଳରେ ପ୍ରତିରୋଧକ କ୍ଷମତା ହ୍ରାସପାଏ ଓ ସଂକ୍ରାମକ କୀଟାଣୁକୁ ବଂଶବୃଦ୍ଧିର ଅନୁକୂଳ ପରିବେଶ ମିଳିଥାଏ।
ଆମର ବୈଦିକ ମନୀଷୀମାନେ ବର୍ଷାକାଳରେ ବର୍ଦ୍ଧିଷ୍ଣୁ ରୋଗବ୍ୟାଧି ସହିତ ବେଶ୍‌ ଭଲ ଭାବରେ ପରିଚିତ ଥିଲେ। ସେତେବେଳେ ସେମାନେ ଏଇ ରୋଗବଇରାଗରୁ ରକ୍ଷା ପାଇବା ପାଇଁ ଯେଉଁ ନିୟମ ଶତାବ୍ଦୀ ଶତାବ୍ଦୀ ଆଗରୁ ପ୍ରଣୟନ କରିଥିଲେ ସେଗୁଡ଼କିର ପ୍ରାସଙ୍ଗିକତା ରହିଛି। ଆମ ଦେଶର ସ୍ବାସ୍ଥ୍ୟ ବିଜ୍ଞାନୀମାନେ ବର୍ଷାଋତୁରେ ବିଳମ୍ବରେ ପଚନ ହେଉଥିବା ଗରିଷ୍ଠ ତୈଳାକ୍ତ ମସଲାଯୁକ୍ତ ଓ ବାସିଖାଦ୍ୟ, ମାଂସାହାର,ହାଡଭଙ୍ଗା ଶୀତଋତୁରେ ପେୟଜଳ ସେବନରୁ ଦୂରେଇ ରହିବା ସଙ୍ଗେ ସଙ୍ଗେ, କ୍ଷୀର, ଦହି ଓ ଶାଗ ସେବନରେ ସଂଯମତା ଅବଲମ୍ବନ କରିବାକୁ ପରାମର୍ଶ ଦିଅନ୍ତି। ଏତତ୍‌ଭିନ୍ନ ସାଦା ସାତ୍ତ୍ୱିକ ଆହାର ନେବାର ପରାମର୍ଶକୁ ଏବେ ଆଧୁନିକ ଭେଷଜ ଚିକିତ୍ସକମାନେ ବି ଉଚିତ ମନେକରନ୍ତି, ଯାହାଦ୍ୱାରା କି ଜୀବନଶକ୍ତି ଓ ମସ୍ତିଷ୍କ କ୍ରିୟାକଳାପରେ ସନ୍ତୁଳନ ବଜାୟ ରଖାଯାଇପାରିବ।
ଚତୁର୍ମାସର ଶାସ୍ତ୍ରୀୟ ବିଧାନଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ମନୁଷ୍ୟକୁ ତ୍ୟାଗ ଓ ସଂଯମର ଶିକ୍ଷା ପ୍ରଦାନ କରିବା। ଏଇ ନିୟମାବଳୀର ଅନୁପାଳନ ଫଳରେ ଆତ୍ମାନୁଶାସନର ଭାବନା ଜାଗ୍ରତ ହୁଏ। ଏହାବ୍ୟତୀତ ଖାଦ୍ୟପେୟ ଓ ଆଚାର-ବିଚାରର ବିଶୁଦ୍ଧୀକରଣ ହେତୁ ଆଧ୍ୟାତ୍ମିକ ସାଧନା ଫଳବତୀ ହୋଇଥାଏ। ପ୍ରାଚୀନ କାଳରେ ସାଧୁସନ୍ଥ ଚତୁର୍ମାସ କାଳରେ ଗୋଟେ ଜାଗାରେ ରହି ସ୍ବାଧ୍ୟାୟ ତଥା ପ୍ରବଚନ ଓ ସତ୍‌ସଙ୍ଗ ଦ୍ୱାରା ନିଜର ଆତ୍ମୋନ୍ନତି ସହିତ ଜନସାଧାରଣଙ୍କ ବି ଆଧ୍ୟାତ୍ମିକ ବିକାଶ ସାଧନ କରୁଥିଲେ। ଏହି ସମୃଦ୍ଧ ପରମ୍ପରା ଏବେସୁଦ୍ଧା ଆମର ଅଂଶବିଶେଷ ହୋଇ ରହିଛି।
ବର୍ଷାକାଳରେ ଭଗବାନ ଶ୍ରୀରାମଙ୍କ ଦ୍ୱାରା ଦେବଦେବୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଗୁମ୍ଫାରେ ସ୍ବାଧ୍ୟାୟ, ଧାର୍ମିକ ଚେତନା ଓ ଶାସ୍ତ୍ରାର୍ଥ କରିବାର ଖୁବ୍‌ ଚମତ୍କାର ଭାବେ ବର୍ଣ୍ଣିତ ହୋଇଛି ଶ୍ରୀରାମଚରିତ ମାନସର କିସ୍କିନ୍ଦା କାଣ୍ଡରେ। ସେହିଭଳି ବୌଦ୍ଧ ଓ ଜୈନଧର୍ମରେ ବି ଚତୁର୍ମାସର ମହତ୍ତ୍ୱ ରହିଛି। ଏସବୁ ଧର୍ମଗ୍ରନ୍ଥ ଅନୁସାରେ ଏହା ବର୍ଷାବାସ ଭାବେ ଅଭିହିତ। ଜୈନ ମୁନିଋଷିଗଣ ବର୍ଷାକାଳରେ ଧରିତ୍ରୀମାତାଙ୍କ କୋଳରୁ ଉତ୍ତୁରି ଆସୁଥିବା ଜୀବଙ୍କୁ ହିଂସାରୁ ରକ୍ଷା କରିବା ପାଇଁ ଗୋଟିଏ ଜାଗାରେ ରହିଯାଇ ସ୍ବାଧ୍ୟାୟ, ସତ୍‌ସଙ୍ଗ ଓ ଆଧ୍ୟାତ୍ମିକ ଊର୍ଜାର ବିକାଶ କରିଥାନ୍ତି।
ମଜାର କଥା ଯେ, ଦେବଗଣଙ୍କ ଶୟନକୁ ଦୃଷ୍ଟିରେ ରଖି ଆଷାଢ଼ ମାସ ଶୁକ୍ଳ ପକ୍ଷକୁ ଦେବଶୟନ ଏକାଦଶୀ ଆରମ୍ଭରୁ ଚାରିମାସ କାଳ ବିବାହ, ଲଗ୍ନ, ମୁଣ୍ଡନ ଓ ଯଜ୍ଞପବୀତ ଶିଳାନ୍ୟାସ, ନୂତନ ଗୃହ ପ୍ରବେଶ ଓ ମନ୍ଦିର ତଥା ଦେବପ୍ରତିମାଙ୍କ ପ୍ରାଣପ୍ରତିଷ୍ଠା ଇତ୍ୟାଦି ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥାଏ। କାରଣ ହିନ୍ଦୁଧର୍ମର ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ଭଗବାନ ବିଷ୍ଣୁଙ୍କୁ ସାକ୍ଷୀରଖି ନିଷ୍ପାଦନ କରାଯାଏ। ଚତୁର୍ମାସ କାଳରେ ପଡୁଥିବା ପର୍ବପର୍ବାଣି ଉତ୍ସବ ମହୋତ୍ସବର ଶୃଙ୍ଖଳା ଆଷାଢ଼ ମାସର ଗୁରୁପୂର୍ଣ୍ଣିମାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ତଥା ଦେବୋତ୍ଥାନ ଏକାଦଶୀରେ ଅନ୍ତ ଘଟିଥାଏ। ଏ ଭିତରେ ନାଗପଞ୍ଚମୀ, ରକ୍ଷାବନ୍ଧନ, ଦୀପାବଳି ଓ ନଦୀସ୍ନାନର ବିଶେଷ ମହତ୍ତ୍ୱ ଦର୍ଶାଉଥିବା ଛଠିପୂଜା ଭଳି ଲୋକପର୍ବ ସହିତ ପିତୃପକ୍ଷ ଓ ଦେବୀ ଆରାଧନାର ଆଶ୍ୱିନ ନବରାତ୍ର ବି ଏ ପର୍ବକାଳର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଦର୍ଶାଇଥାଏ।
ମୋ: ୯୪୩୮୩୩୨୧୩୮