ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ମହିଳା ତାଙ୍କ ଦୁଇ ସନ୍ତାନଙ୍କ ସହ ଗତ ରବିବାରଠାରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ସ୍ବାମୀ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଥାନାର ଜଣେ ଏସ୍.ଆଇ ଘଟଣାର ତଦନ୍ତ ପାଇଁ ସମ୍ପୃକ୍ତ ଗାଁକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ପ୍ରତିବାଦରେ ଶନିବାର ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଦିଗପହଣ୍ଡି ଥାନାରେ ପହଞ୍ଚି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହ ଖୁବ୍ଶୀଘ୍ର ଘଟଣାର ତଦନ୍ତ କରାଯିବାର ପ୍ରତିଶ୍ରୁତି ପରେ ଗ୍ରାମବାସୀ ଫେରିଥିବା ଜଣାପଡ଼ିଛି।
ସ୍ବାମୀ ଘଟଣାର ପରଦିନ ଏନେଇ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ମୋକଦ୍ଦମା ରୁଜୁ ନ କରି କେବଳ ତଦନ୍ତ କରି ଫେରିଥିଲେ। ଉତ୍ତେଜିତ ଗ୍ରାମବାସୀ ଥାନାରେ ପହଞ୍ଚି ଭାରପ୍ରାପ୍ତ ଆଇଆଇସିଙ୍କ ସହ ଆଲୋଚନା କରିବା ପରେ ଥାନା ନିଖୋଜ ମାମଲା ନଂ.୨୦/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରାଯାଇଥିବା ଜଣାପଡ଼ିଛି। ଗତ ପ୍ରାୟ ୧୩ ବର୍ଷ ପୂର୍ବେ ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳର ଯୁବତୀ ଜଣକ ଦିଗପହଣ୍ଡି ଥାନା ଅଧୀନ ସମ୍ପୃକ୍ତ ଗାଁରେ ବିବାହ କରିଥିଲେ। ତାଙ୍କ ୧୩ ବର୍ଷର ପୁଅ ଏବଂ ୪ ବର୍ଷର ଏକ କନ୍ୟା ସନ୍ତାନ ଅଛନ୍ତି। ପରକୀୟା ପ୍ରୀତିକୁ ନେଇ ଗତ କିଛିବର୍ଷ ସ୍ବାମୀଙ୍କ ସହ କଳହ ଲାଗି ରହୁଥିଲା। କିଛି ଦିନ ପୂର୍ବେ ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ପୋଲିସ ହସ୍ତକ୍ଷେପ ପରେ ଘଟଣା ସମାଧାନ ହୋଇଥିଲା। ସ୍ତ୍ରୀ ଲୁଚା ଚୋରାରେ ଏକ ମୋବାଇଲ ଫୋନ୍ ବ୍ୟବହାର କରୁଥିବା ବେଳେ ଗତ ୩ ତାରିଖରେ ଫୋନ୍ଟି କାହାର ବୋଲି ସ୍ବାମୀ ସ୍ତ୍ରୀଙ୍କୁ ପଚାରିଥିଲେ। ସେ ସନ୍ତୋଷଜନକ ଉତ୍ତର ନ ଦେବାରୁ ସ୍ବାମୀ ତାଙ୍କୁ ଥାପ୍ପଡ଼ ମାରିଥିଲେ। ଘଟଣାର ପରଦିନଠାରୁ ସ୍ତ୍ରୀ ଓ ପୁଅ ଝିଅ ନିଖୋଜ ହୋଇଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅପରପକ୍ଷରେ କିଛି ଯଥେଷ୍ଟ କାରଣ ତାଙ୍କ ଝିଅଙ୍କୁ ଶାାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ନିଖୋଜ ମହିଳାଙ୍କ ମା’ ପୋଲିସକୁ କହିଛନ୍ତି। ଝିଅ ଓ ନାତୁଣୀ ନାତିଙ୍କ ନିଖୋଜ ଘଟଣାରେ ଜ୍ବାଇଁଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି।