ଭବାନୀପାଟଣା,୪ା୧୦ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଗୁରୁବାର ବିଜୟା ଦଶମୀ ଅବସରରେ ସ୍ଥାନୀୟ ନକଟିଗୁଡାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବର ଏକ ସ୍ବତନ୍ତ୍ରତା ରହିଛି। ଲାଖମରା ପର୍ବ ମାଧ୍ୟମରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ବିଜୟ ଯାତ୍ରା ବା ରାଜ୍ୟ ଜୟର ପ୍ରତୀକ ଭାବେ ଏହି ପର୍ବ ପାଳନ କରାଯାଏ। ଏହି ଅବସରରେ ଅପରାହ୍ନରେ ଛତ୍ର ବାହକ ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତରକୁ ଧରି ବାହୁକ, ମୁଣ୍ଡଛିନା, ସେବାୟତ ସହ ଜେନାବାଦ୍ୟ, ଘୁମୁରା ଓ ଘଣ୍ଟ ଘଣ୍ଟାର ତାଳେ ତାଳେ ମନ୍ଦିରରୁ ବାହାରି ପଶ୍ଚିମ ଉପକଣ୍ଠରେ ଥିବା ନକଟିଗୁଡା ଲାଖମରା ପଡିଆକୁ ଯାଇଥିଲେ। ସେଠାରେ ଥିବା ଅସ୍ଥାୟୀ ମଣ୍ଡପରେ ଦେବୀଙ୍କ ଛତ୍ରକୁ ସ୍ଥାପନ କରାଯିବା ସହ ବିଧି ପୂର୍ବକ ପୂଜାର୍ଚ୍ଚନା ଓ ଛାଗ ବଳି ଦିଆଯାଇଥିଲା। ପରମ୍ପରା ଅନୁଯାୟୀ କଳାହାଣ୍ଡି ରାଜ ପରିବାର ସଦସ୍ୟ ଛତ୍ରକୁ ବନ୍ଦାପନା କରିବା ପରେ ଆରମ୍ଭ ହୋଇଥିଲା ଲାଖମରା ପର୍ବ। ଏକ ସୁଉଚ୍ଚ ଖମ୍ବରେ ବନ୍ଧା ଯାଇଥିବା ମାଟି ହାଣ୍ଡିରେ ନିର୍ମିତ ଦେବୀଙ୍କ ଲାଖକୁ ଲକ୍ଷ୍ୟଭେଦ ପାଇଁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା ମାଟି ହାଣ୍ଡିରେ ମାଣିକେଶ୍ୱରୀଙ୍କ ପ୍ରସାଦ ଥାଏ। ଚଳିତବର୍ଷ ଏହି ପ୍ରତିଯୋଗିତାରେ ଅନେକ ଯୁବକ ସାମିଲ ହୋଇଥିଲେ। ସେଥିମଧ୍ୟରୁ ଭବାନୀପାଟଣା ରିଜର୍ଭର ଡିଭିଏଫ୍ ପୋଲିସ କର୍ମଚାରୀ ବିଶ୍ୱଜିତ ପାତ୍ର ମାଟି ହାଣ୍ଡିରେ ନିର୍ମିତ ଦେବୀଙ୍କ ଲାଖକୁ ଲକ୍ଷ୍ୟଭେଦ କରି ପାରିଥିଲେ। ପରେ ଛତରକୁ ଛତ୍ର ବାହକ ଜେନାବାଦ୍ୟ ତାଳେ ତାଳେ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ। ରୀତିନୀତି ଅନୁଯାୟୀ ରାଜ ପରିବାର ସଦସ୍ୟଙ୍କୁ ଅଭିଷିକ୍ତ ବ୍ରାହ୍ମଣମାନେ ଅପରାଜିତା ମନ୍ତ୍ରରେ ରାଜ୍ୟାଭିଷେକ କରାଇଥାନ୍ତି। ପରେ ମୂଳାଷ୍ଟମୀଠାରୁ ମାଣିକେଶ୍ୱରୀଙ୍କୁ ମୁଣ୍ଡବସା ପୂର୍ବରୁ ଆରମ୍ଭ ହୋଇଥିବା ଦଶହରା ପର୍ବରେ ରକ୍ତମୁଖା ହୋଇଥିବା ଦେବୀଙ୍କୁ ଶାନ୍ତ କରାଇବା ପାଇଁ ମନ୍ଦିର ଦ୍ୱାରରେ କଣ୍ଟାବାଡ ଦିଆଯାଇଥାଏ। ଆସନ୍ତା କୁମାର ପୂର୍ଣ୍ଣମୀରେ ଦେବୀଙ୍କ କଣ୍ଟାବାଡ ଫିଟା ଅନୁଷ୍ଠିତ ହେବ। ଲାଖମରା ପର୍ବକୁ ନେଇ ଶ୍ରଦ୍ଧାଳୁ ଓ ପ୍ରତିଯୋଗୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥିଲା। ଏହି ପର୍ବରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ, କୁମାର ସାହେବ ଅର୍କ କେଶରୀ ଦେଓ ପ୍ରମୁଖ ସାମିଲ ହୋଇଥିଲେ।