କୁତ୍ରା,୬ା୧୧(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ କିରିଙ୍ଗସେରା ପଞ୍ଚାୟତର ଭୋଗରା ଗ୍ରାମରେ ଗତ ୩ ତାରିଖ ରାତିରେ ଝିଅର କାଠ ଫାଳିଆ ମାଡ଼ରେ ମା’, ବାପାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ କୁତ୍ରା ପୋଲିସ ଅଭିଯୁକ୍ତ ଝିଅଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ତୁଲସା ଲାକଡା।
ପ୍ରକାଶଯୋଗ୍ୟ, ବିବରଣୀରୁ ପ୍ରକାଶ ମିଶ୍ରଙ୍କ ୨ ଝିଅଙ୍କ ମଧ୍ୟରୁ ସାନ ଝିଅ ତୁଲସା କୁତ୍ରା ବ୍ଲକ୍ ଗମାଡ଼ିହିରେ ବିବାହ କରିଥିବା ବେଳେ ବଡ଼ ଝିଅ ସବିତା ରାଉରକେଲାରେ ବିବାହ କରିଛନ୍ତି। ଉଭୟ ଝିଅ କୌଣସି କାମରେ ବାପଘରକୁ ଆସିଥିଲେ। ସୋମବାର ବାପା, ମା’ ଝିଅ ସମସ୍ତେ ଗୋଟିଏ କୋଠରିରେ ଶୋଇଥିଲେ। ରାତି ପ୍ରାୟ ୧ଟା ୩୦ରେ ତୁଲସା ଏକ କାଠଫାଳିଆରେ ବାପା ଓ ମା’ଙ୍କୁ ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ସବିତା ଉଠିପଡ଼ିଥିଲେ। କାଠଫାଳିଆ ମାଡ଼ରେ ରକ୍ତାକ୍ତ ହୋଇଥିବା ବାପା, ମା’ଙ୍କୁ ସବିତା ପଡ଼ୋଶୀଙ୍କ ସହାୟତାରେ କୁତ୍ରା ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ପ୍ରକାଶଙ୍କୁ ମୃତ ଘୋଷଣା କରିଥିବା ବେଳେ ଫୁଲଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ରାଉରକେଲାସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ବଡ ଝିଅ ସବିତା ଏହି ସମ୍ପର୍କରେ କୁତ୍ରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା (ନଂ.୨୮୫/୨୦୨୫)ରୁଜୁ କରିଥିଲା। ସବିତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ କୁତ୍ରା ପୋଲିସ ଅଭିଯୁକ୍ତ ତୁଳସାଙ୍କୁ ପଞ୍ଚରା ଗ୍ରାମ ନିକଟରେ ବୁଲୁଥିବା ବେଳେ ଗିରଫ କରିଛି।
Dharitri – Odisha’s No.1 Odia Daily