ଝିଅର ସବାରୀ ଉଠିବା ପୂର୍ବରୁ ଉଠିଲା ମା’ର କୋକେଇ, ଚା’ ସହ କେକ୍‌ ଖାଇବା ବେଳେ…

ଥିରୁଭାନନ୍ତପୁରମ୍‌,୧ା୬: କେରଳର ମଲାପ୍ପୁରମରେ ଜଣେ ୪୪ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ଯେଉଁଦିନ ମହିଳାଙ୍କ ମୃତ୍ୟୁ ହୋଇଥିଲା, ତା’ପରଦିନ ଅର୍ଥାତ୍‌ ମେ’ ୩୧ରେ ତାଙ୍କ ଏକମାତ୍ର ଝିଅର ବିବାହ ହେବାର ଥିଲା, ଯାହା ପୂର୍ବରୁ ମା’ଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ଗଳାରେ ଏକ କେକ୍‌ ଫସି ଯାଇଥିଲା, ଯାହା ପରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ମାମଲା ଏଡାଭାନାରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜୈନବ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ଚା’ ସହିତ କେକ୍‌ ଖାଉଥିବା ସମୟରେ ହଠାତ୍‌ ତାଙ୍କ ଗଳାରେ କେକ ଫସି ଯାଇଥିଲା। ଏହା ଯୋଗୁ ତାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେବାକୁ ଲାଗିଲା। ଜୈନବଙ୍କ ଅବସ୍ଥା ଖରାପ ହେବା ଦେଖି ପରିବାର ଲୋକେ ତାଙ୍କୁ କୋଝିକୋଡ୍‌ ମେଡିକାଲ କଲେଜ ହସ୍ପିଟାଲକୁ ନେଇ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଗୋଟିଏ ଦିନ ଚିକିତ୍ସା କରାଯାଇଥିଲା। କିନ୍ତୁ ଶୁକ୍ରବାର ଚିକିତ୍ସା ସମୟରେ ଜୈନବଙ୍କ ମୃତ୍ୟୁ ହୋଇଥିଲା।

ଜୈନବଙ୍କ ଝିଅ ଖୈରୁନ୍ନିସାଙ୍କ ବିବାହ ମେ’ ୩୧ରେ ହେବାର ଥିଲା। ତାଙ୍କ ଘରେ ଖୁସିର ପରିବେଶ ଥିଲା। ସମସ୍ତେ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। ଖୈରୁନ୍ନିସା ହେଉଛନ୍ତି ଜୈନବଙ୍କ ଏକମାତ୍ର ଝିଅ। ସେଥିପାଇଁ ମା’ ତାଙ୍କ ଝିଅର ବିବାହ ପାଇଁ ବହୁତ ଖୁସି ଥିଲେ। ଯେପରି ଜଣେ ମା’ ତାଙ୍କ ଝିଅର ବିବାହ ପାଇଁ ସ୍ବପ୍ନ ଦେଖନ୍ତି, ସେହିପରି ଜୈନବଙ୍କ ଆଖିରେ ମଧ୍ୟ ଖୈରୁନ୍ନିସାଙ୍କ ପାଇଁ ସ୍ବପ୍ନ ଥିଲା। କିନ୍ତୁ ଜୈନବ ଜାଣି ନ ଥିଲେ ଯେ ତାଙ୍କ ଘରର ଖୁସି ହଠାତ୍‌ ଦୁଃଖରେ ପରିଣତ ହେବ।

ଖୈରୁନ୍ନିସାଙ୍କ ବିବାହ ପାଇଁ ମାତ୍ର ୨ ଦିନ ବାକି ଥିଲା। ଏହି ସମୟରେ ୨୯ ମେ’ ଗୁରୁବାର ଜୈନବ ସମଗ୍ର ପରିବାର ସହିତ ବସି କେକ୍‌ ଖାଉଥିଲେ। କିନ୍ତୁ ହଠାତ୍‌ ତାଙ୍କ ଗଳାରେ କେକ୍‌ ଫସିଗଲା। ଏହା ପରେ ଜୈନବଙ୍କୁ ମଧ୍ୟ ନିଃଶ୍ୱାସ ନେବାରେ ଅସୁବିଧା ହେବାକୁ ଲାଗିଲା। ଏପରି ପରିସ୍ଥିତିରେ ଜୈନବଙ୍କ ପରିବାର ତାଙ୍କୁ ଡାକ୍ତରଖାନାକୁ ନେଇଗଲେ, ଯେଉଁଠାରେ ଚିକିତ୍ସା ସତ୍ତ୍ୱେ ଜୈନବଙ୍କ ଅବସ୍ଥାରେ ଉନ୍ନତି ହେଉ ନ ଥିଲା। ମେ’ ୩୦ରେ ତାଙ୍କର ମୃତ୍ୟୁ ଘଟିଛି। ଖୈରୁନ୍ନିସାଙ୍କ ସବାରୀ ଉଠିବା ପୂର୍ବରୁ ତାଙ୍କ ମା’ଙ୍କ ଶବଯାତ୍ରା ବାହାର କରାଯାଇଥିଲା। ଜୈନବଙ୍କ ମୃତ୍ୟୁରେ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଥିବାବେଳେ ଝିଅଙ୍କ ବିବାହ ଅଟକି ଯାଇଛି।