ପାଟଣା,୩୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଚେମେଣା ପଞ୍ଚାୟତ ଭୃଙ୍ଗରାଜପଶି ଗ୍ରାମର ଦେବଶର୍ମା ମୁଣ୍ଡାଙ୍କ ୨ବର୍ଷର ଶିଶୁପୁତ୍ରଙ୍କ ଗୁପ୍ତାଙ୍ଗ କାଟିଦେବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା। ମିଳିଥିବା ସୂଚନାନୁସାରେ, ଶିଶୁପୁତ୍ର ରଞ୍ଜନ ମୁଣ୍ଡା ଗତ ୨୦୨୩ ଜାନୁଆରୀ ୮ ତାରିଖରେ ଘର ବାରଣ୍ଡାରେ ଖେଳୁଥିବା ସମୟରେ କେହି ଜଣେ ଶିଶୁର ଗୁପ୍ତାଙ୍ଗକୁ ବ୍ଲେଡ଼ରେ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ଶିଶୁଟିକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାକୁ ନେଇ ରଞ୍ଜନଙ୍କ ଜେଜେମା କୁନି ମୁଣ୍ଡା ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ୩/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତଦନ୍ତରେ ଶିଶୁର ବଡ଼ ମା’ ନିଜେ ଶିଶୁର ଗୁପ୍ତାଙ୍ଗକୁ ଏକ ବ୍ଲେଡ଼ ସହାୟତାରେ କାଟି ଦେଇଥିବା ଜଣାପଡିବା ପରେ ଗୁରୁବାର ପୋଲିସ ଶିଶୁର ବଡ଼ ମା’ ଲକ୍ଷ୍ମୀ ମୁଣ୍ଡା(୪୦) ଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହ ବ୍ଲେଡ଼କୁ ଜବତ କରିଛି । ସୂଚନା ଯୋଗ୍ୟ ଯେ, ପରିବାର ଲୋକେ କୌଣସି କାମରେ ଘର ବାହାରକୁ ଯାଇଥିଲେ। ଶିଶୁଟି ସାଙ୍ଗମାନଙ୍କ ସହ ଘର ଅଗଣାରେ ଖେଳୁଥିଲା ସମୟରେ ଶିଶୁର ଗୁପ୍ତାଙ୍ଗକୁ ଏକ ବ୍ଲେଡ଼ରେ କାଟି ଦେଇଥିଲେ। ଶିଶୁଟି ଗୋଇଠା ମାରି ଦେବାରୁ ବଡ଼ ମା’ ରାଗିଯାଇ ଏଭଳି କାଣ୍ଡ ଭିଆଇ ଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି।
\