ତୁମୁଡିବନ୍ଧ,୪ା୨ (ଦୀପକ କୁମାର ପରାସେଠ): ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ମୃତ ଛାତ୍ରଙ୍କ ମା’ ଅଭିଯୋଗ ଆଣିଛନ୍ତି। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତ ଗୁଟଖାପଦର ଗାଁରେ ଏପରି ଘଟିଛି। ଏହି ଗାଁର ହେମନ୍ତ ପାତ୍ରଙ୍କ ପୁଅ କୁବେର ପାତ୍ର, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହି ନବମ ଶ୍ରେଣୀରେ ପାଠ ପଢୁଥିଲେ। ଗତ ମାସରେ କୁବେରଙ୍କ ସ୍ବାସ୍ଥ୍ୟ ଖରାପ ହେଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ଚିକିତ୍ସା ନ କରି ହଷ୍ଟେଲରେ ତାଙ୍କୁ ରଖିଥିଲେ। ଏପରିକି ପରିବାର ଲୋକଙ୍କୁ ମଧ୍ୟ ଖବର ଦେଇ ନ ଥିଲେ। ଖବର ପାଇ କୁବେରରଙ୍କ ମା’ ବେଲଘର ହଷ୍ଟେଲକୁ ପୁଅକୁ ଦେଖିବାକୁ ଯାଇଥିଲେ। ସେତେବେଳକୁ କୁବେରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରତର ଥିବାରୁ ସେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇ ମେଡିକାଲ ନେବାକୁ କୁବେରଙ୍କୁ ଘରକୁ ଆଣିଥିଲେ। ପରେ ସ୍ଥାନୀୟ ମେଡିକାଲରେ ତାଙ୍କ ଚିକିତ୍ସା କରିଥିଲେ। ମାତ୍ର କୁବେରଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ନ ଆସିବାରୁ ସେ ଗତ ମାସ ୫ ତାରିଖରେ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ନେଇଥିଲେ। ସେହି ଦିନ ଚିକିତ୍ସାଧୀନ ଅବସ୍ଥାରେ କୁବେରଙ୍କ ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ପାଇଁ ପରିବାର ଲୋକେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ମୋ ପୁଅର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ତାଙ୍କୁ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ହଷ୍ଟେଲ କର୍ତ୍ତୃୃପକ୍ଷଙ୍କୁ ପଚାରିବା ଲାଗି ପ୍ରୟାସ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକିୟା ମିଳିପାରିନାହିଁ।