ମନ୍ଦିର ହୁଣ୍ଡିବାକ୍ସକୁ ନେଇଗଲେ ମା’ପୁଅ, ତନାଘନା କରି ଘରେ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…

ନିରାକାରପୁର, ୧୩।୧୦(ମାନସ ଚନ୍ଦ୍ର ପଟ୍ଟନାୟକ ): ଗତ ୧୧ ତାରିଖ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିରାକାରପୁରସ୍ଥିତ ସାଇ ମନ୍ଦିରରେ ଥିବା ଦୁଇଟି ହୁଣ୍ଡିବାକ୍ସକୁ ଚୋରି କରି ନେଇଥିବା ନେଇ ସାଇ ପରିବାର ପକ୍ଷରୁ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ନିରାକାରପୁର ଥାନାରେ ୨୬୮/୨୫ରେ ଏକ ମାମଲା ରୁଜୁ କରାଯାଇଥିଲା। ପରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମର ଓ ସନ୍ଧାନୀ କୁକୁର ସହଯୋଗରେ ପୋଲିସ ପକ୍ଷରୁ ଏହି ଚୋରିକୁ ଧରିବା ନିମନ୍ତେ ତନାଘନା ଜୋର୍‌ ଧରିଥିଲା। ଅନୁରୂପଭାବେ ବଜାର ନିକଟରେ ଏହି ଚୋରି ହୋଇଥିବାରୁ ପୋଲିସ ପାଇଁ ମଧ୍ୟ ଚାଲେଞ୍ଜ ସୃଷ୍ଟି କରିଥିଲା। ହେଲେ ଚୋରି ହେବାର ୨୪ ଘଣ୍ଟା ନ ପୂରୁଣୁ ପୋଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ମା’ଓ ପୁଅକୁ ଗିରଫ କରିବାରେ ସଫଳ ହେବା ସହ ସେମାନଙ୍କ ଭଡା ଘରୁ ହୁଣ୍ଡି ବକ୍ସ ଓ ଟଙ୍କାକୁ ମଧ୍ୟ ଜବତ କରିଛି। ଗିରଫ ମା’ ପୁଅ ହେଲେ ଭୂଷଣ୍ଡପୁର ଫାଣ୍ଡି ଅନ୍ତର୍ଗତ ଭୂଷଣ୍ଡପୁର ଉରୁମୁଖୀ ସାହିର ଜୟନ୍ତୀ ସିଂହ ଓ ତାଙ୍କ ପୁଅ ସୁଜିତ ସିଂହ । ଉଭୟ ମା-ପୁଅ କିଛିଦିନ ନିଜ ଗାଁ ଛାଡି ନିରାକାରପୁର ପଞ୍ଚାୟତସ୍ଥିତ ନରେନ୍ଦ୍ରପୁର ସାହି ନିକଟରେ ଥିବା କେନାଲ ବନ୍ଧରେ ଭଡା ଘରେ ରହି ଆସୁଥିଲେ। ଉଭୟଙ୍କୁ ପୋଲିସ ସେଇ ଭଡା ଘରୁ ଗିରଫ କରିବା ସହ ଘରୁ ଚୋରି ସାମଗ୍ରୀକୁ ଜବତ କରିଛି। ଉଭୟ ମା ’ ପୁଅଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟକୁ ଚାଲାଣ କରିଥିବା ନିରାକାରପୁର ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ ସୂଚନା ଦେଇଛନ୍ତି।

Dharitri – The Largest & Most Trusted Odia Daily

 

Share
Tags: odisha