୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି କିଷାନ ଯୋଜନା ଲାଭ

ନୂଆଦିଲ୍ଲୀ,୧୦।୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୯ରେ ପ୍ରଣୟନ କରାଯାଇଥିବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଦେଶର ୨୦ ଲକ୍ଷ ୪୮ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଲାଭ ମିଳିଛି। ଏଥିରେ ୧,୩୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସୂଚନା ଅଧିକାର ଆଇନ ଆଧାରରେ ଲୋଡ଼ା ଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଏନେଇ କୃଷି ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ଅଧାରୁ ଅଧିକ ଅର୍ଥାତ୍‌ ୫୫.୫୮ ପ୍ରତିଶତ ଆୟକରଦାତା ଶ୍ରେଣୀଭୁକ୍ତ ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେହିପରି ୪୪.୪୧ ପ୍ରତିଶତ ଅଯୋଗ୍ୟ ହିତାଧିକାରୀ ଆବଶ୍ୟକ ଯୋଗ୍ୟତା ପୂରଣ କରୁ ନ ଥିବା ରିପୋର୍ଟରେ ସୂଚିତ ହୋଇଛି। କମନେଓଲଥ୍‌ ହ୍ୟୁମାନ ରାଇଟସ୍‌ ଇନସିପ୍‌ଟିଭ୍‌ ଅନ୍ତର୍ଗତ ସୂଚନା ଅଧିକାରକର୍ମୀ ଭେଙ୍କଟେଶ୍‌ ନାୟକଙ୍କ ଦ୍ୱାରା କରାଯାଇଥିବା ଆବେଦନର ଉତ୍ତରରେ କୃଷି ମନ୍ତ୍ରଣାଳୟ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି। ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ଅଣାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି।

Share