ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର ଛକଠାରେ କଣ୍ଟେନର ଗୋରୁଗାଡି ଜବତ କରିଛି। ସୂଚନା ମୁତାବକ ଗତ ରାତ୍ରିରେ ଭଦ୍ରକରୁ ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା। ୧୬ ନମ୍ବର ଜାତୀୟ ରାଜପଥରରେ ଥିବା ସେରଗଡ଼ ଟୋଲଗେଟ ଫାଙ୍କିବା ପାଇଁ ବଉଳଗଡିଆ ପଞ୍ଚଲିଙ୍ଗେଶର ନୀଳଗିରି (ପି.ଡବ୍ଲ୍ୟୁ.ଡି) ରାସ୍ତାର ସାହାରା ନେଇଥାନ୍ତି ବେଆଇନ ଗୋଚାଲାଣକାରୀ। ଏହି କ୍ରମରେ କୌଣସି ସୂତ୍ରରୁ ନୀଳଗିରି ପୋଲିସ ଖବରପାଇ ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ନିର୍ଦ୍ଦେଶରେ ଇଶ୍ୱରପୁର ଛକଠାରେ ଶନିବାର ଭୋର ସମୟରେ ଇଶ୍ୱରପୁର ଫାଣ୍ଡି ଅଧିକାରୀ ବିକାଶ ଭୋଇ ଓ ବରେନ୍ଦ୍ର କୁମାର ସିଂ ପ୍ରମୁଖ ସଦଳବଳେ ଜଗିରହିଥିବା ବେଳେ ୩୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ନେଇ ଚାଲଣ ହେଉଥିବା ଆର.ଜେ.୧୪ଜି.ଜେ ୬୭୩୦ କଣ୍ଟେନର ଗାଡିଟିକୁ ଜବତ କରି ନୀଳଗିରି ଥାନାକୁ ଆଣିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛନ୍ତି। ପରେ ନୀଳଗିରି ଥାନା ପକ୍ଷରୁ ୫୧୩/୨୫ ନଂ ଏକ ମାମଲା ରୁଜୁ କରି ଗୋରୁ ବୁଝଇ କଣ୍ଟେନରକୁ ସ୍ଥାନୀୟ ବାମପଦା ଗୋଶାଳାକୁ ପଠାଯାଇଛି।