ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ବିଭାଗୀୟ ଅବହେଳା ଯୋଗୁ ପଞ୍ଜୀକରଣରୁ ବାଦ୍ ପଡି ଖରିଫରେ ଅମଳ ଧାନ ବିକ୍ରି କରିପାରି ନାହାନ୍ତି। ଜିଲାର ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଗ୍ରାମଗୁଡ଼ିକର ଅନେକ ଚାଷୀ ଏଭଳି ସମସ୍ୟାରେ ପଡିଛନ୍ତି। ସେମାନଙ୍କର ପ୍ରାୟ ୨୫ହଜାର ଧାନ ଏପର୍ଯ୍ୟନ୍ତ ବିକ୍ରି ହୋଇପାରି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଜନପ୍ରତିନିଧି, ଜିଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇବା ସତ୍ତ୍ବେ କିଛି ସୁଫଳ ମିଳିନାହିଁ। ଫଳରେ ଚାଷୀମାନେ ମାର୍ଚ୍ଚ ମାସ ୯ତାରିଖରୁ ଧାନ ଗଦା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନରାତି ଧାରଣାରେ ବସିଛନ୍ତି। ତଥାପି ସେମାନଙ୍କ ସମସ୍ୟା ସମାଧାନ ହୋଇପାରିନାହିଁ। ଅନ୍ୟପଟେ ଧାରଣାରତ ଚାଷୀଙ୍କ ଦୁଃଖ ବଢି ଚାଲିଛି। ଝଡ଼ବର୍ଷା, କରାମାଡ, ଖରା ସତ୍ତ୍ବେ ନିଜର ହକ୍ ଦାବିରେ ସେମାନେ ଧାରଣା ଜାରି ରଖିଛନ୍ତି। କେବଳ ସେତିକି ନୁହେଁ, ସେମାନେ ଘର ଘର ବୁଲି ଡାଲି, ଚାଉଳ, ପରିବା ସଂଗ୍ରହ କରୁଛନ୍ତି ଏବଂ ଧାରଣାସ୍ଥଳରେ ରୋଷେଇ କରୁଛନ୍ତି। ଏଭଳି ଭାବେ ଧାରଣାକୁ ମାସେ ବିତିଯାଇଥିଲେ ସୁଦ୍ଧା ସରକାରୀ କଳ ସେଥିପ୍ରତି ନିର୍ବିକାର ରହିବା ବିଡମ୍ବନାର ବିଷୟ ହୋଇପଡିଛି।