ଗାଁରେ ମାଙ୍କଡ଼ ଆତଙ୍କ, ଗୋଡେଇ ଗୋଡେଇ କାମୁଡୁଛି ଲୋକଙ୍କୁ

ବଲାଙ୍ଗୀର,୧୯।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ରେଞ୍ଜ ଅନ୍ତର୍ଗତ ପୁଟୁପଡା, ଭାନପୁର, ସାଲେବରଟ ତଥା ଆଖ ପାଖ ଗାଁରେ ମାଙ୍କଡ଼ ଆତଙ୍କ ଦେଖିବାକୁ ମିଳିଛି l ଗତ ଦୁଇଦିନ ତଳେ ପୁଟୁପଡା ଗାଁର ଜଣେ ଛାତ୍ରୀଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି l ସେହିପରି ଗାଁ ମାନଙ୍କରେ ରହୁଥିବା ଅନେକ ମହିଳା ଓ ପୁରୁଷ ତଥା ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଆକ୍ରମଣ କରୁଥିବା ଜଣାପଡିଛି l ଚାଷୀ ମାନଙ୍କ ଚାଷ ଜମିକୁ ମାଙ୍କଡ ମାନେ ନଷ୍ଟ କରିଦେଉଛନ୍ତି l ଗାଁ ଲୋକଙ୍କ ଅଭିଯୋଗ ପରେ ଗାଁରେ ବନ ବିଭାଗ ଟିମ ପହଞ୍ଚି ମାଙ୍କଡ ମାନଙ୍କୁ ଧରିବା ପାଇଁ ମିଶନ ଷ୍ଟାର୍ଟ କରିଛନ୍ତି l ବଲାଙ୍ଗୀର ଏସିଏଫ ମାନସ ରଞ୍ଜନ ବେହେରା ୟଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା ରେଞ୍ଜର ପଦ୍ମନାଭ କୁମ୍ଭାରଙ୍କ ଏକ ସ୍ବତନ୍ତ୍ର ଟିମ , VAS ବଙ୍ଗୋମୁଣ୍ଡା , ତ୍ୱରିତ ପ୍ରତିକ୍ରିୟା ଦଳ ( RRT ଟିମ ) ଗାଁ ମାନଙ୍କରେ ପହଞ୍ଚି ଆତଙ୍କ କରୁଥିବା ମାଙ୍କଡ଼କୁ ଧରିବା ପାଇଁ ଚେଷ୍ଟା ଚଳାଇଛନ୍ତି l ଦୁଇ ଦିନ ହେଲା ମାଙ୍କଡ଼ ମାନଙ୍କ ପାଇଁ ଅଞ୍ଚଳର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି l ଅନେକ ଲୋକଙ୍କୁ ଆକ୍ରମଣ କରୁଥିବାରୁ ଲୋକେ ଭୟଭୀତ ହୋଇ ଘରୁ କୁଆଡେ ବାହାରକୁ ଯାଉ ନାହାଁନ୍ତି l ତୁରନ୍ତ ଗାଁରେ ଆତଙ୍କ କରୁଥିବା ମାଙ୍କଡ଼ ମାନଙ୍କୁ ଧରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Dharitri – Odisha’s No.1, Most Trusted Odia Daily