ହିଞ୍ଜିଳିକାଟୁ,୨୧।୮(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ଏସ୍ବିଆଇ ଶାଖା ପରିଚାଳକ ବୋଲି ନିଜକୁ ପରିଚୟ ଦେଇ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଠାରୁ ୨୨ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେ ହେଲେ ବ୍ରହ୍ମପୁର ନିମଖଣ୍ଡି ଥାନା ଶକ୍ତି ନଗର ଅଞ୍ଚଳର ସନ୍ତୋଷ ବେହେରା (୫୦) । ତାଙ୍କଠାରୁ ବାଇକ୍ (ଓଡି ୦୭ କ୍ୟୁ ୧୪୧୯) ଓ ୨୦,୫୦୦ ଟଙ୍କା ଜବତ ହୋଇଛି। ପୂର୍ବରୁ ଥାନାରେ ରୁଜୁ ହୋଇଥିବା ମାମଲା ନଂ. ୪୫୭/୨୫ ରେ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପ୍ରକାଶ ଯେ, ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ସାଇବ ସାହୁ ଗତ ଜୁନ ୬ ତାରିଖରେ ପେନସନ ଟଙ୍କା ଉଠାଇବା ପାଇଁ ହିଞ୍ଜିଳିକାଟୁ ଏସବିଆଇ ଶାଖାକୁ ଆସିଥିଲେ। ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ବିଜୁ ପଟ୍ଟନାୟକ ଛକରେ ସନ୍ତୋଷ ନିଜକୁ ଏସବିଆଇ ଶାଖା ପରିଚାଳକ ପରିଚୟ ଦେଇ ପେନସନ ବାବଦକୁ ମାସିକ ୩୦ ହଜାର ଟଙ୍କା ପାଇବେ ବୋଲି କହିଥିଲେ। ତାଙ୍କ କହିବା ଅନୁସାରେ ସାଇବ ପୁଣି ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଆସିଥିଲେ। ବ୍ୟାଙ୍କ ଠାରୁ କିଛି ଦୁରରେ ଅପେକ୍ଷା କରିବାକୁ କହି ସନ୍ତୋଷ ତାଙ୍କଠାରୁ କୌଶଳ କ୍ରମେ ୨୨ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ସାଇବ ଠକେଇର ଶିକାର ହୋଇଥିବା ଜାଣି ସେହିଦିନ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗୁରୁବାର ସନ୍ତୋଷ ସୋମପୁର ଗ୍ରାମରେ ଥିବା ପୋଲିସ ଖବର ପାଇ ତାଙ୍କୁ କାବୁ କରିଥିଲା।