ଦାରିଙ୍ଗବାଡି, ୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶିକ୍ଷକଙ୍କୁ ବଦଳି କରାଇଦେବା ନାମରେ ଅର୍ଥକୁ ହରିଲୁଟ କରାଯାଇଥିବା ନେଇ ଏବେ ଅଡିଓ ମୋବାଇଲକୁ ମୋବାଇଲ ଘୁରିବୁଲୁଛି। ମିଳିଥିବା ସୂତ୍ର ପ୍ରକାରେ, ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ବଦଳି ହୋଇଆସିବା ପାଇଁ ଚାହୁଁଥିବାବେଳେ ବ୍ରାହ୍ମଣୀଗାଁ ଅଞ୍ଚଳର ଜଣେ ନିର୍ଦ୍ଦିଷ୍ଟ ଦଳର କର୍ମୀ ଯିଏକି ବଦଳି କରାଇଦେବା ନାମରେ କୁଆଡେ ସେ ୪୦ ହଜାର ଟଙ୍କା ଦେବାକୁ କହି ଆଗୁଆ ୨୦ ହଜାର ନେଇଥିଲେ ବଦଳି କରିବା ପରେ ଆଉ ୨୦ ହଜାର ଦେବାକୁ ସେ ଦଳୀୟ କର୍ମୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତି ୨୦ ହଜାର ନେଇ ଆଉ ବଦଳି କରାଇଦେଇ ନ ଥିଲେ। ସେ ଏହି ଅର୍ଥ କୌଣସି ଜଣେ ବରିଷ୍ଠ ଲୋକପ୍ରତିନିଧିଙ୍କ ନାମରେ ଓ ଦଳର ନାମ ନେଇ କେବଳ ଜଣେ ଶିକ୍ଷକ ନୁହଁନ୍ତି ଏକାଧିକ ଶିକ୍ଷକଙ୍କଠାରୁ ବଦଳି କରେଇବା ନାମରେ ଏହି ଅର୍ଥ ଆଦାୟ କରୁଥିବା ଜଣାପଡିଛି। ଉକ୍ତ ଅଡିଓ ରେକର୍ଡରେ ଠକାମିର ଶିକାର ହୋଇଥିବା ଶିକ୍ଷକ ଉକ୍ତ ଦଳର ଜଣେ କର୍ମୀଙ୍କୁ ନିଜ ଗୁହାରି କହୁଥିବା ଜଣାପଡିଛି।
ପ୍ରକାଶ ଯେ, ରାଜ୍ୟ ସରକାର ଶିକ୍ଷୟିତ୍ରୀଶିକ୍ଷକଙ୍କ ବଦଳି ପାଇଁ ଏମପି, ବିଧାୟକମାନଙ୍କୁ ସୁପାରିସ କରିବାର କ୍ଷମତା ଦେଇଥିବା ବେକେ ଏହାର ଫାଇଦା ନେଇ କିଛି ଦଳୀୟ କର୍ମୀମାନେ ସାଧାରଣ କର୍ମଚାରୀଙ୍କୁ ଠକିବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଏଥିପ୍ରତି ଜିଲା ପ୍ରଶାସନ ଏବଂ ବିଧାୟକ, ଏମପି ମାନେ ସଚେତନ ହୋଇ ଏଭଳି ଠକାମି କରୁଥିବା କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।