ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଟଙ୍କା କାରବାର! ମାଗୁଛନ୍ତି…

ପୁରୀ,୩୧ା୮(ଅଜିତ୍‌ କୁମାର ମହାନ୍ତି): ଅନ୍‌ଲାଇନରେ ମହାପ୍ରଭୁଙ୍କ ପୂଜା ହେବା ନେଇ ଏକ ଆପ୍‌ରେ ଦର୍ଶାଯାଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ‘ପୂଜା ପରିସେବା ଡଟ୍‌ କମ’ ନାମକ ଏକ ଅନଲାଇନ ଆପ୍ଲିକେସନ ମାଧ୍ୟମରେ ଅନ୍‌ଲାଇନରେ ମହାପ୍ରଭୁଙ୍କ ସେବାକରିବା ନେଇ ସୂଚନା ଦେଇଛି, ଯାହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ୪ ପ୍ରକାର ପୂଜା ହେବାନେଇ ଅନ୍‌ଲାଇନରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବାରମ୍ବାର ଅନ୍‌ଲାଇନରେ ଏଭଳି ବିଜ୍ଞାପନ ଆସୁଥିବା ବେଳେ ପୋଲିସ ପ୍ରଶାସନ କି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏପରି ଘଟଣା ବାରମ୍ବାର ଘଟୁଥିବା ସାଧାରଣରେ ମତ ପ୍ରକାଶ ପାଇଛି।

‘ପୂଜା ପରିସେବା ଡଟ୍‌ କମ’ ନାମକ ଏକ ଆପ୍‌ରେ ଚାରି ପ୍ରକାରର ପୂଜା ପାଇଁ ଅଲଗା ଅଲଗା ପ୍ରକାର ମୂଲ୍ୟ ରହିଛି। ସ୍ବତନ୍ତ୍ର ଅଭିଷେକ ପୂଜା ପାଇଁ ୭୫୦୦ ଟଙ୍କା, ତୁଳସୀ ଦାନପୂଜା ପାଇଁ ୫୫୦୧ ଟଙ୍କା, ସାଧାରଣ ଦର୍ଶନ ପୂଜା ପାଇଁ ୨୫୦୦ ଟଙ୍କା ଏବଂ ଜଗନ୍ନାଥ, ବଳରାମ, ସୁଭଦ୍ରାଙ୍କ ମିଳିତ ପୂଜା ପାଇଁ ୪୭୫୦ ଟଙ୍କା ଦେବାକୁ ପଡ଼ିବ ବୋଲି ୱେବ୍‌ସାଇଟରେ ଉଲ୍ଲେଖ ଥିବାବେଳେ ଦେଶ ବାହାର ବହିରାଗତ ଭକ୍ତଙ୍କ ପୂଜା ପାଇଁ ଡଲାରରେ ମଧ୍ୟ ରେଟଚାଟ୍‌ ମରାଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସେବାୟତମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରରେ ଅନ୍‌ଲାଇନ ଏଭଳି କୌଣସି ବ୍ୟବସ୍ଥା ନାହିଁ। ଭକ୍ତମାନେ ବାରମ୍ବାର ଅନ୍‌ଲାଇନରେ ଠକେଇ ହେଉଥିବାରୁ ତୁରନ୍ତ ଶ୍ରୀମନ୍ଦିର, ଜିଲା ଓ ପୋଲିସ ପ୍ରଶାସନ ଏଭଳି ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେବାୟତମାନେ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ପୁରୀ ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି, ଅନ୍‌ଲାଇନ ମାଧ୍ୟମରେ ବାରମ୍ବାର ଭକ୍ତଙ୍କୁ ଠକେଇ ହେଉଥିବା ନଜିର ରହିଛି। ପୂଜା ପର୍ବ ସମୟରେ ଏପରି ଆପ୍‌ ମାଧ୍ୟମରେ ମିଛ ଖବର ପ୍ରକାଶ ପାଉଛି। ଦର୍ଶନ କରାଇବା, ପୂଜା ପ୍ରସାଦ ଦେବା ପାଇଁ କୌଣସି ଅନ୍‌ଲାଇନ ସାଇଡ୍‌ ନାହି ବୋଲି କହିଛନ୍ତି। ହୋଟେଲ ବୁକ୍‌ କରିବା ସମୟରେ ମଧ୍ୟ ସମସ୍ତ ତଥ୍ୟକୁ ଅନୁଧାନ କରି ବୁକ୍‌ କରନ୍ତୁ। ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି, ପୂଜା ପରିସେବା.କମ୍‌ ନାମକ ଏକ ଅନ୍‌ଲାଇନ ସଂସ୍ଥା ଏକ ଫେକ୍‌ ସଂସ୍ଥା। ଭକ୍ତଙ୍କୁ ଠକିବା ପାଇଁ ଏହା କରାଯାଇଛି ବୋଲି ଖୁଣ୍ଟିଆ ମତବ୍ୟକ୍ତ କରି କହିଛନ୍ତି। ସେହିପରି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ଅନ୍‌ଲାଇନରେ ଠକେଇ ଏବେ ବେଶୀ ଦେଖିବାକୁ ମିଳୁଛି। ତେଣୁ ଏହା ଉପରେ ରୋକ୍‌ ଲଗାଇବା ପାଇଁ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକ ରହିଛି। ଭକ୍ତମାନେ ଏପରି ଠକ ସଂସ୍ଥାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଦାସ ମହାପାତ୍ର ମତବ୍ୟକ୍ତ କରି କହିଛନ୍ତି।