ତେହରାନ୍ ,୧୩।୩: ଆମେରିକା-ଇରାନ୍ ଯୁଦ୍ଧ ବିରତି ନେଇ ବିଭିନ୍ନ ସ୍ତରରେ ଉଦ୍ୟମ ଚାଲିଥିଲାବେଳେ ଇରାନ୍ର ନବ ନିଯୁକ୍ତ ସୁପ୍ରିମ ଲିଡର୍ ମୋଜ୍ତାବା ଖାମେନେଇ ଆମେରିକା ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଇରାନୀୟ ସ୍କୁଲ ପିଲାଙ୍କଠାରୁ ଆରମ୍ଭକରି ଯେଉଁମାନେ ଏହି ଯୁଦ୍ଧରେ ବଳିଦାନ ଦେଇଛନ୍ତି ସେମାନଙ୍କ ପ୍ରତିଶୋଧ ନିଆଯିବ ବୋଲି ମୋଜ୍ତାବା ଦୃଢ଼ୋକ୍ତି କରିଛନ୍ତି। ଏପରିକି ଯୁଦ୍ଧ ଯୋଗୁ ବର୍ତ୍ତମାନ ସୁଦ୍ଧା ଇରାନ୍ର ଯାହା କ୍ଷୟକ୍ଷତି ହୋଇଛି ତାହାକୁ ମଧ୍ୟ ଶତ୍ରୁ ରାଷ୍ଟ୍ରଠାରୁ ଭରଣା କରାଯିବ ବୋଲି ସେ ଆମେରିକାକୁ ଇଙ୍ଗିତ କରି କହିଛନ୍ତି। ଆଉ ଯଦି ଏହା କରାନଯାଏ, ତେବେ ଇରାନ୍ ଆମେରିକା ସମ୍ପତ୍ତିରୁ ସେତିକି ପରିମାଣର ଭରଣା କରିନେବ କିମ୍ବା ଆକ୍ରମଣକରି ସେହି ପରିମାଣର ଆମେରିକୀୟ ସମ୍ପତ୍ତି ନଷ୍ଟ କରିଦେବ ବୋଲି ମୋଜ୍ତାବା କହିଛନ୍ତି। ମୋଜ୍ତାବାଙ୍କୁ ଗତ ୮ ତାରିଖରେ ଇରାନର ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଥିବା ଘୋଷଣା କରାଯାଇଥିଲେ ହେଁ ତାଙ୍କର କୌଣସି ବୟାନ ସାମ୍ନାକୁ ଆସି ନ ଥିଲା। ବରଂ ଯୁଦ୍ଧର ପ୍ରଥମ ଦିନରେ ଆମେରିକା ଆକ୍ରମଣରେ ସେ ଆହତ ହୋଇଥିବା ଖବର ଦୁଇ ଦିନ ତଳେ ଇରାନୀୟ ରାଷ୍ଟ୍ରୀୟ ଟିଭି ସୂତ୍ରରୁ ଜଣାପଡ଼ିଥିଲା। ତେବେ ଗୁରୁବାର ମୋଜ୍ତାବାଙ୍କ ଏହି ପ୍ରଥମ ମନ୍ତବ୍ୟ ଇରାନ୍ର ଜାତୀୟ ଟିଭି ଚ୍ୟାନେଲ୍ରେ ପ୍ରସାରିତ ହୋଇଛି।
ଏହି କ୍ରମରେ ମୋଜ୍ତାବା ଇରାନ୍ର ସେନାକୁ ଧନ୍ୟବାଦ ଦେବା ସହ ଶତ୍ରୁ ବିପକ୍ଷରେ ଲଢ଼େଇ ଜାରି ରହିଥିବାରୁ ସେମାନଙ୍କୁ ଦେଶର ବଡ଼ ବନ୍ଧୁ ବୋଲି କହିଛନ୍ତି। ଉପସାଗରୀୟ ଅଞ୍ଚଳରେ ଆମେରିକାର ଯେତେଗୁଡିଏ ସାମରିକ ପ୍ରତିଷ୍ଠାନ ରହିଛି ସେଗୁଡିକୁ ତୁରନ୍ତ ବନ୍ଦ କରିଦିଆଯିବ। ଏଥିପାଇଁ ଆମେରିକୀୟ ଘାଟି ରହିଥିବା ଦେଶଗୁଡିକ ଉପରେ ଆକ୍ରମଣ ଜାରି ରହିବ ବୋଲି ସେ କହିଛନ୍ତି। ଏହାଛଡ଼ା ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ତୈଳ ପରିବହନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହିଛନ୍ତି। ଏହାଦ୍ୱାରା ଶତ୍ରୁ ରାଷ୍ଟ୍ରଙ୍କ ଉପରେ ଚାପ ସୃଷ୍ଟି କରାଯାଇପାରିବ ବୋଲି ମୋଜ୍ତାବା କହିଛନ୍ତି।