Categories: Home Leftଖେଳ

କ୍ରିକେଟର ମହମ୍ମଦ ଶାମିଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ସ୍ତ୍ରୀ ହସିନ

ନୂଆଦିଲ୍ଲୀ,୩।୫: କ୍ରିକେଟର ମହମ୍ମଦ ଶାମିଙ୍କଠାରୁ ଅଲଗା ରହୁଥିବା ତାଙ୍କ ସ୍ତ୍ରୀ ହସିନ ଜାହାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ପଶ୍ଚିମବଙ୍ଗର ଯାଦବପୁରରେ ହସିନ ପଞ୍ଜୀକୃତ କରିଥିବା ଅପରାଧିକ ମାମଲା ଉପରେ ହୋଇଥିବା ପ୍ରତିବନ୍ଧକକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ସେକ୍ସନ କୋର୍ଟ ଏହି ମାମଲାକୁ ସ୍ଥଗିତ ରଖିଥିଲେ। ପରେ ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି କାରଣରୁ ଏହି ମାମଲା ୪ ବର୍ଷ ଧରି ଅଟକି ରହିଛି। ତେବେ କୋଲକତା ହାଇକୋର୍ଟ ଶାମିଙ୍କ ଗିରଫଦାରୀ ୱାରେଣ୍ଟ ଉପରେ ରହିତାଦେଶ ଜାରି କରିଥିବା ବେଳେ ଏହାକୁ ସୁପ୍ରିମକୋର୍ଟରେ ସେ ଚାଲେଞ୍ଜ କରିଛନ୍ତି।

 

ମହମ୍ମଦ ଶାମି ଏବଂ ହସିନ ଜାହାନ ୨୦୧୪ରେ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ହସିନା ଜାହାନ ଶାମିଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ଏପରିକି ନିର୍ଯାତନା, ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବା ଆଦି ଶାମିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏବେ ପୁଣି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ସେ ଏହି ଅଭିଯୋଗର ପୁନରାବୃତ୍ତି କରିଛନ୍ତି। ହେଲେ ମହମ୍ମଦ ଶାମି ଏହି ଅଭିଯୋଗକୁ ମିଥ୍ୟା କହି କ୍ରମାଗତ ବିରୋଧ କରୁଛନ୍ତି।