ମୁମ୍ବାଇ,୧୦।୧୧: ଭାରତର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ ଭବିଷ୍ୟତକୁ ନେଇ ବିବାଦ ଓ ଅନିଶ୍ଚିତତା ଦେଖାଦେଇଛି। ଜାତୀୟ ଚୟନକର୍ତ୍ତାଙ୍କ ସହ ଯୋଗାଯୋଗ ନେଇ ବିବାଦ ଲାଗିରହିଥିବା ବେଳେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ସେ ‘ଇଣ୍ଡିଆ-ଏ’ ପାଇଁ ଖେଳିବାକୁ ମନା କରିଦେଇଥିଲେ।
ବିସିସିଆଇର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଚୟନ କମିଟି ଜସପ୍ରୀତ ବୁମ୍ରାଙ୍କ କାର୍ଯ୍ୟଭାରକୁ ଦେଖି ଇଂଲଣ୍ଡରେ ଶାମିଙ୍କ ସେବା ପାଇଁ ବ୍ୟାକୁଳ ଥିଲା। ତାଙ୍କ ଫିଟ୍ନେସ୍ ଯାଞ୍ଚ କରିବା ପାଇଁ ଚୟନକର୍ତ୍ତାମାନେ ତାଙ୍କୁ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଅତି କମରେ ଗୋଟିଏ ‘ଇଣ୍ଡିଆ ଏ’ ମ୍ୟାଚ୍ ଖେଳିବାକୁ ଅନୁରୋଧ କରିଥିଲେ।
ତେବେ, ଶାମି ଉତ୍ତରରେ କହିଥିଲେ ଯେ ସେ ଏବେ ବି ନିଜର କାର୍ଯ୍ୟଭାର ବୃଦ୍ଧି କରୁଛନ୍ତି ଏବଂ ତାଙ୍କୁ ସେହି ଆସାଇନ୍ମେଣ୍ଟ ପାଇଁ ବିଚାରକୁ ନିଆଯିବା ଉଚିତ ନୁହେଁ।
ଶାମି ଚୟନକର୍ତ୍ତାଙ୍କ ସହ କୌଣସି ଯୋଗାଯୋଗ ହୋଇନଥିବା କହିଥିଲେ ମଧ୍ୟ, ବରିଷ୍ଠ ଅଧିକାରୀ କହିଛନ୍ତି ଯେ ତାହା ସମ୍ପୂର୍ଣ୍ଣ ସତ ନୁହେଁ। ତାଙ୍କ ଫିଟ୍ନେସ୍ ଯାଞ୍ଚ କରିବାକୁ ଏକାଧିକ ଥର ଫୋନ୍ କରାଯାଇଛି।
୩୫ ବର୍ଷୀୟ ଶାମି ଚଳିତ ବର୍ଷ ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ଶେଷ ଥର ଖେଳିଥିଲେ। ୨୦୨୩ ବିଶ୍ୱକପ୍ ପରେ ଗୋଇଠିରେ ଆଘାତ ଲାଗିବାରୁ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ପ୍ରସିଦ୍ଧ କ୍ରିଷ୍ଣା ଓ ଆକାଶ ଦୀପଙ୍କ ଭଳି ଯୁବ ବୋଲରଙ୍କ ଉତ୍ଥାନ ଯୋଗୁଁ ତାଙ୍କର ଟେଷ୍ଟ ଏବଂ ଟି-୨୦ ରେ ଫେରିବାର ସମ୍ଭାବନା କମ୍ ଦେଖାଯାଉଛି।
ଶାମି ରଣଜୀ ଟ୍ରଫିରେ ୯୩ ଓଭର ବୋଲିଂ କରିଥିଲେ ମଧ୍ୟ ତାଙ୍କର ସ୍ପେଲ୍ ଲମ୍ବା ରହୁନାହିଁ ଏବଂ ତାଙ୍କର ହାରାହାରି ସ୍ପିଡ୍ ୧୩୦ କିମି/ଘଣ୍ଟା ରୁ ଅଧିକ ହେଉନାହିଁ। ବିସିସିଆଇ ଚୟନକର୍ତ୍ତାମାନେ ତାଙ୍କ ଆହତ ଇତିହାସ ଏବଂ ବର୍ତ୍ତମାନର ଫିଟ୍ନେସ୍ ନେଇ ଆଶଙ୍କାରେ ଅଛନ୍ତି।