ନୂଆଦିଲ୍ଲୀ,୨୫।୪: IPL ୨୦୨୫ର ୪୩ତମ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ମହମ୍ମଦ ଶାମି ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ପ୍ରଥମ ବଲ୍ରେ ଇତିହାସ ରଚିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗ୍ସର ଯୁବ ଓପନର୍ ଶେଖ ରସିଦଙ୍କ ଉଇକେଟ ନେଇଥିଲେ। ଆଇପିଏଲ୍ରେ ଚତୁର୍ଥ ଥର ପାଇଁ ଶାମି ମ୍ୟାଚ୍ର ପ୍ରଥମ ବଲ୍ରେ ଉଇକେଟ ନେଇଥିଲେ। ଏକମାତ୍ର ବୋଲର ଭାବେ ସେ ଚାରି ଥର ଏହି ସଫଳତା ହାସଲ କରିଛନ୍ତି। କେବଳ ଏତିକି ନୁହେଁ ସେ ଚତୁର୍ଥ ଥର ପାଇଁ ଇନିଂସର ପ୍ରଥମ ବଲରେ ଉଇକେଟ ନେବାର ସଫଳତା ହାସଲ କରିବାରେ ଆଇପିଏଲ୍ର ପ୍ରଥମ ବୋଲର ମଧ୍ୟ ପାଲଟିଛନ୍ତି।
IPL ମ୍ୟାଚ୍ରେ ପ୍ରଥମ ବଲରେ ସର୍ବାଧିକ ଉଇକେଟ ନେଇଥିବା ଖେଳାଳି:
୪ ଥର- ମହମ୍ମଦ ଶାମି
୨ ଥର- ର୍ଡିକ ନାନେସ
୨ ଥର -ଲାସିଥ ମାଲିଙ୍ଗା
୨ ଥର-ଉମେଶ ଯାଦବ
୨ ଥର- ଭୁବନେଶ୍ୱର କୁମାର
୨ ଥର-ଟ୍ରେଣ୍ଟ ବୋଲ୍ଟ
ମ୍ୟାଚ୍ର ପ୍ରଥମ ବଲ୍ରେ ମହମ୍ମଦ ଶାମି ଏକ ଐତିହାସିକ ସଫଳତା ହାସଲ କରିଥିଲେ। ହେଲେ ଦ୍ୱିତୀୟ ବଲ୍ରେ ହିଁ ସେ ଏକ ନୋ ବଲ ପକାଇଥିଲେ। ପ୍ରକୃତରେ ସେ ବୋଲିଂ କରିବା ସମୟରେ ନିଜ ହାତରେ ଉଇକେଟ ମାରିଥିଲେ। ଏହି ଘଟଣା ରନ୍ ଅପ୍ ସମୟରେ ଘଟିଥିଲା, ଯାହା ଯୋଗୁ ଅମ୍ପାୟାର ଏହି ବଲ୍କୁ ନୋ ବଲ୍ ଘୋଷଣା କରିଥିଲେ। କ୍ରିକେଟରେ ଏପରି ଘଟଣା ବହୁତ କମ ଦେଖାଯାଇଛି, ଯେତେବେଳେ ବୋଲର ବୋଲିଂ କରିବା ସମୟରେ ଉଇକେଟରେ ନିଜ ହାତକୁ ଆଘାତ କରନ୍ତି।
ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗସ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ଲେଅଫ୍ ଦୌଡ଼ରେ ରହିବା ପାଇଁ ଉଭୟ ଦଳକୁ ଏହି ମ୍ୟାଚ୍ ଜିତିବାକୁ ପଡିବ। ଏହି ସିଜିନରେ ଉଭୟ ଦଳ ଏପର୍ଯ୍ୟନ୍ତ ୮-୮ଟି ମ୍ୟାଚ ଖେଳିଛନ୍ତି ଏବଂ ୨-୨ଟି ମ୍ୟାଚ ଜିତିଛନ୍ତି। ଏପରି ପରିସ୍ଥିତିରେ, ଗୋଟିଏ ପରାଜୟ ଏହି ଦଳଗୁଡ଼ିକର ପ୍ଲେଅଫ୍ ପାଇଁ ପଥ ବନ୍ଦ କରିପାରେ।