ମୋଦିଙ୍କ ରାଲି: ୧୦ଲକ୍ଷ ଲୋକଙ୍କୁ ଏକାଠି କରିବା ଭାଜପାର ଲକ୍ଷ୍ୟ

କୋଲକାତା,୬।୩: ମାର୍ଚ୍ଚ ୨୭ରେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡ଼ିକ ବେଶ୍‌ ତତ୍ପର ହୋଇ ଉଠିଛନ୍ତି। ଏହି ମର୍ମରେ ମାର୍ଚ୍ଚ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି କୋଲକାତାର ବ୍ରିଗେଡ୍‌ ପରେଡ ଗ୍ରାଉଣ୍ଡ୍‌ରେ ହେବ। ପରେଡ଼ ପଡ଼ିଆକୁ ସଭା ପାଇଁ ପ୍ରସ୍ତୁତ କରାଯାଇଛି। ରାଲିରେ ୧୦ ଲକ୍ଷ ଲୋକଙ୍କୁ ଏକାଠି କରିବା ଲାଗି ରାଜ୍ୟ ଭାଜପା ପକ୍ଷରୁ ପ୍ରୟାସ କରାଯାଉଛି। ଏହାଦ୍ୱାରା ଭୋଟରଙ୍କ ପାଖକୁ ସକାରାତ୍ମକ ବାର୍ତ୍ତା ଯିବ ବୋଲି ରାଜ୍ୟ ଭାଜପାର ବରିଷ୍ଠ ସଦସ୍ୟ ଅନୁମାନ କରୁଛନ୍ତି। ବ୍ରିଗେଡ଼ ପଡ଼ିଆରେ ସଭା ଆୟୋଜନ ଇତିହାସ ବେଶ୍‌ ପୁରୁଣା। ୧୮୫୭ରେ ପଲାସୀ ଯୁଦ୍ଧରେ ବିଜୟୀ ହେବାପରେ ତତ୍‌କାଳୀନ ବ୍ରିଟିଶ୍‌ ସରକାର ସୈନ୍ୟଙ୍କ ରହିବା ପାଇଁ ଫୋର୍ଟଓ୍ବିଲିୟମ୍‌ ଦୁର୍ଗ ନିର୍ମାଣ କରିଥିଲେ। ଏହାର ସମ୍ମୁଖରେ ଥିବା ପଡ଼ିଆରେ ଇଂରେଜ ସୈନ୍ୟ ପରେଡ କରୁଥିଲେ। ପରେ ଏହା ବ୍ରିଗେଡ ପଡ଼ିଆ ଭାବେ ପରିଚିତି ହାସଲ କରିଥିଲା। ୧୯୧୯ରେ ରୋଓ୍ବାଲ୍ଟ ଆକ୍ଟ ବିରୋଧରେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଏଠାରେ ରାଲି କରିଥିଲେ। ୧୯୫୫ରେ ସୋଭିଏତ୍‌ ପ୍ରଧାନମନ୍ତ୍ରୀ ନିକୋଲ ଆଲେକ୍ସ୍‌ଜାଣ୍ଡ୍ରାଓ୍ବିଚ୍‌ ଏଠାରେ ଏକ ସଭାରେ ଯୋଗଦେଇଥିଲେ। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ମଧ୍ୟ ସଭାରେ ଉପସ୍ଥିତ ଥିଲେ। ୧୯୭୨ରେ ବାଂଲାଦେଶ ଗଠନ ପରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏଠାରେ ଏକ ବିରାଟ ସାଧାରଣ ସଭାରେ ଯୋଗ ଦେଇଥିଲେ। ୧୯୮୪ରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜ୍ୟୋତି ବସୁ ଏବଂ ଫାରୁକ ଅବଦୁଲ୍ଲା ଏଠାରେ ବଡ଼ ରାଲି କରିଥିଲେ। ୨୦୧୯ରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବିରୋଧରେ ବ୍ରିଗେଡ ପଡ଼ିଆରେ ବଡ଼ ରାଲି କରିଥିଲେ। ଏଥିରେ ୨୨ ରାଜନୈତିକ ଦଳର ନେତା ଯୋଗ ଦେଇଥିଲେ।

Share