ରହମାନଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ମୋଦି: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୬ା୨:ବାଂଲାଦେଶ ନିର୍ବାଚନରେ ବିଏନ୍‌ପି ବିପୁଳ ବିଜୟ ହାସଲ କରିବା ପରେ ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଆସନ୍ତା ୧୭ ତାରିଖରେ ଏକ ଭବ୍ୟ ଉତ୍ସବରେ ରହମାନ ଶପଥ ନେବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ବେଳେ ଏଥିରେ ଭାରତ, ପାକିସ୍ତାନ, ନେପାଳ,ଚାଇନା, ଶ୍ରୀଲଙ୍କା ସମେତ ୧୩ଟି ରାଷ୍ଟ୍ରର ପ୍ରତିନିଧି ଯୋଗଦେବେ। ଏହି ଉତ୍ସବରେ ଯୋଗଦେବାକୁ ବାଂଲାଦେଶ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରାଯାଇଥିଲେ ହେଁ ଏଥିରେ ମୋଦି ଯୋଗ ଦେବେନାହିଁ। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ରି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୋଲି ରବିବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ ଭାରତ ଗସ୍ତରେ ଆସି ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଥିବାରୁ ମୋଦି ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ସମ୍ଭବ ନୁହେଁ ବୋଲି କୁହାଯାଇଛି।

 

Dharitri – Odisha’s No.1 Odia Daily

 

Share