ନୂଆଦିଲ୍ଲୀ,୧୦ା୧୦(ପି.ଟି.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଫୋନ୍ କରି କଥା ହୋଇଛନ୍ତି। ଗାଜା ଶାନ୍ତି ଯୋଜନାର ସଫଳତାକୁ ନେଇ ମୋଦି ଟ୍ରମ୍ପ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି X ରେ ଉଲ୍ଲେଖ କରିଛନ୍ତି, ମୋ ବନ୍ଧୁ, ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ସହ ଆଲୋଚନା କଲି। ଐତିହାସିକ ଗାଜା ପିସ୍ ପ୍ଲାନ୍ର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ବାଣିଜି୍ୟକ ଆଲୋଚନା ଦିଗରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛି। ଆଗାମୀ ସପ୍ତାହଗୁଡ଼ିକରେ ଘନିଷ୍ଠ ଯୋଗାଯୋଗରେ ରହିବା ନେଇ ସହମତି ପ୍ରକାଶ କରିଥିବା ମୋଦି ଏଥିରେ ଲେଖିଛନ୍ତି। ଟ୍ରମ୍ପ୍ ଆମେରିକାକୁ ପ୍ରବେଶ କରୁଥିବା ଭାରତୀୟ ସାମଗ୍ରୀ ଉପରେ ୨୫% ଆମଦାନୀ ଶୁଳ୍କ ସହ ରୁଷୀୟ ତୈଳ କ୍ରୟ ବାବଦ ଅତିରିକ୍ତି ୨୫% ଜରିମାନା କଷିବା ପରେ ୨ ଦେଶର ସମ୍ପର୍କରେ ତିକ୍ତତା ବଢ଼ିଛି। ଏଭଳି ସମୟରେ ନୋବେଲ ଶାନ୍ତି ପୁରସ୍କାର ଦାବିଦାର ଟ୍ରମ୍ପ୍ଙ୍କୁ ଗାଜା ଯୁଦ୍ଧ ବନ୍ଦ କରାଇଥିବାର ଶ୍ରେୟ ଦେଇ ମୋଦି ସ୍ଥିତିକୁ ସ୍ବାଭାବିକ କରିବାକୁ ଉଦ୍ୟମ କରିଛନ୍ତି। ୩ ସପ୍ତାହ ମଧ୍ୟରେ ଏହା ଦୁଇନେତାଙ୍କ ମଧ୍ୟରେ ଦ୍ୱିତୀୟ ଟେଲିଫୋନିକ୍ ଆଲୋଚନା। ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନ ପୂର୍ବରୁ ଗତ ସେପ୍ଟେମ୍ବର ୧୬ରେ ଟ୍ରମ୍ପ୍ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ।