କେବଳ ଭାଜପାର ନୁହେଁ, ପୁରା ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି: ଫାରୁକ୍‌ ଅବଦୁଲ୍ଲା

ନୂଆଦିଲ୍ଲୀ,୯।୩: ୨୦୨୪ ଲୋକ ସଭା ନିର୍ବାଚନ ସହ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ମଧ୍ୟ ହୋଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି। ଏହାକୁ ନେଇ ନିର୍ବାଚନ ଆୟୋଗଙ୍କ ଏକ ଟିମ୍‌ ଜମ୍ମୁ କଶ୍ମୀରରେ ପହଞ୍ଚିଥିଲେ। ଏହି ସମୟରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ସମ୍ମିଳନୀ ମୁଖ୍ୟ ଫାରୁକ୍‌ ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିବା ଦେଖାଯାଇଛି। ନିକଟରେ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଅବଦୁଲ୍ଲା ଅଖିଳେଶଙ୍କ କଥାକୁ ବିରୋଧ କରିଛନ୍ତି।

ଅବଦୁଲ୍ଲା କହିଛନ୍ତି, ‘ମୁଁ ଜାଣେନାହିଁ ଯେ ଅଖିଳେଶ ଯାଦବ କ’ଣ କହିଛନ୍ତି ଏବଂ କେଉଁ ପରିସ୍ଥିତିରେ କହିଛନ୍ତି। ଯେହେତୁ ପ୍ରଧାନମନ୍ତ୍ରୀଙ୍କ କଥା ଉଠିଛି ତେଣୁ ସେ କେବଳ ଭାଜପାର ପ୍ରଧାନମନ୍ତ୍ରୀ ନୁହଁନ୍ତି, ପ୍ରତ୍ୟେକ ଭାରତୀୟଙ୍କ ପ୍ରତିନିଧିତ୍ୱ କରିଛନ୍ତି। ପ୍ରଧାନମନ୍ତ୍ରୀ ମୁସଲମାନ, ହିନ୍ଦୁ, ଶିଖ୍‌, ଖ୍ରିଷ୍ଟିଆନ୍‌ ଏବଂ ଭାରତରେ କୌଣସି ଧର୍ମ ନ ଥିବା ବ୍ୟକ୍ତିମାନଙ୍କର ପ୍ରତିନିଧିତ୍ୱ କରୁଛନ୍ତି। ସେ ଆମର ପ୍ରଧାନମନ୍ତ୍ରୀ ଅଟନ୍ତି। ’

ତେବେ ଯଦି ଆପଣ ଭାବୁଛନ୍ତି ଫାରୁକ୍‌ ପ୍ରଥମ ଥର ପାଇଁ ମୋଦିଙ୍କ ପ୍ରଶଂସା କରିଛନ୍ତି, ତେବେ ଆପଣ ଭୁଲ ଭାବୁଛନ୍ତି। କାରଣ ଗତ ମାସରେ ପ୍ରଧାନମନ୍ତ୍ରୀ କଶ୍ମୀର ଉପତ୍ୟକାରେ ପ୍ରଥମ ବୈଦୁତିକ ଟ୍ରେନ୍‌ ଏବଂସାଙ୍ଗଲଦାନ ଷ୍ଟେଶନ ଏବଂ ବାରମୁଳା ଷ୍ଟେଶନ୍‌ ମଧ୍ୟରେ ଟ୍ରେନ୍‌ ସେବାକୁ ଉନ୍ମୋଚିତ କରିଥିଲେ। ସେତେବେଳେ ଫାରୁକ୍‌ ମୋଦିଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କୁ ପ୍ରଶଂସା କରିଥିଲେ।