‘ମୋଦି ସରକାର ଏକଚ୍ଛତ୍ରବାଦୀ’

ନୂଆଦିଲ୍ଲୀ, ୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସାମ୍ପ୍ରଦାୟିକ, ଫାସିବାଦୀ ତଥା ଏକଚ୍ଛତ୍ରବାଦୀ ବୋଲି ସୋମବାର ଆନ୍ଦୋଳନରତ କୃଷକମାନେ ଅଭିଯୋଗ କରିଛନ୍ତି। ଏଥିସହିତ ବୁରାରିର ସନ୍ଥ ନିରଙ୍କରୀ ପଡ଼ିଆରେ ଆନ୍ଦୋଳନକାରୀମାନେ ଏକତ୍ର ହେବାକୁ ସରକାର ଦେଇଥିବା ପ୍ରସ୍ତାବକୁ କୃଷକମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଦିଲ୍ଲୀ-ହରିୟାଣା ସୀମାର ସିଙ୍ଘୁଠାରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି କ୍ରାନ୍ତିକାରୀ କିଷାନ ସଂଘ, ପଞ୍ଜାବ ଶାଖାର ସଭାପତି ଦର୍ଶନ ପାଲ୍‌ କହିଛନ୍ତି ଯେ, ମୋଦି ସରକାର ମୁହଁରେ ଗୋଟିଏ କଥା କହୁଥିବାବେଳେ ଅନ୍ୟପଟେ ପିଠିରେ ଛୁରା ମାରୁଛି। ସେ ଭାଜପାକୁ ସାମ୍ପ୍ରଦାୟିକ, ଫାସିବାଦୀ ଓ ଏକଚ୍ଛତ୍ରବାଦୀ ବୋଲି ଅଭିହିତ କରିଛନ୍ତି।
ଆନ୍ଦୋଳନକୁ ଅଧିକ ସୁଦୃଢ଼ କରିବା ଲାଗି ଖୁବ୍‌ଶୀଘ୍ର ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ପାଲ୍‌ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପ୍ରସ୍ତାବକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ। ଏଠାରେ ଉଲ୍ଲେଖଯୋଗ୍ୟ, ବୁରାରି ପଡ଼ିଆ ଏକ ଅସ୍ଥାୟୀ ଜେଲ୍‌ ଭାବେ ବିବେଚିତ ହେଉଥିବାରୁ କୃଷକମାନେ ଏହି ସ୍ଥାନକୁ ଯିବାକୁ ବିରୋଧ କରୁଛନ୍ତି। ଆମେ ଆମର ବାସ୍ତବ ଅସୁବିଧା ବିଷୟରେ କହିବାକୁ ଆସିଛୁ ଏବଂ ପଛକୁ ହଟିବାର ନାହିଁ ବୋଲି ସେ ଦୋହରାଇଛନ୍ତି। ଆନ୍ଦୋଳନ ଏକ ଐତିହାସିକ ମୁହୂର୍ତ୍ତ ବୋଲି ଏହି ଅବସରରେ ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ ଖବରଦାତା ସମ୍ମିଳନୀରେ କହିଛନ୍ତି। ୩୧ ବର୍ଷ ପରେ ଏଭଳି ଘଟଣା ଘଟିଛି। ପୂର୍ବରୁ ମହେନ୍ଦ୍ର ସିଂ ଟିକାଏତ୍‌ କୃଷକମାନଙ୍କୁ ଏକତ୍ର କରିଥିଲେ। ଚାଷୀମାନେ ସଚେତନ ନୁହନ୍ତି ବୋଲି ଏକ ମିଥ୍ୟା ପ୍ରଚାର କରାଯାଇଛି। ବାସ୍ତବତା ହେଉଛି ପଞ୍ଜାବ ଓ ହରିୟାଣାର ପ୍ରତ୍ୟେକ ପିଲା କୃଷି ଆଇନକୁ ଏକ ନିଷ୍ଠୁର ଆଇନ ବୋଲି ଜାଣିଗଲେଣି। ସୂଚନାଯୋଗ୍ୟ ଯେ, ନିକଟରେ ପାର୍ଲାମେଣ୍ଟରେ କୃଷି ସଂକ୍ରାନ୍ତ ତିନୋଟି ବିଲ୍‌ ଗୃହୀତ ହୋଇଥିଲା, ଯାହାକୁ ପଞ୍ଜାବ, ହରିୟାଣା ସମେତ ଦେଶର ବିଭିନ୍ନ ଭାଗରେ କୃଷକମାନେ ବିରୋଧ କରିଆସୁଛନ୍ତି।