ସ୍ବାଧୀନତା ଦିବସ ଇତିହାସରେ ସବୁଠୁ ଲମ୍ବା ଭାଷଣ ଦେଲେ ମୋଦି: ଜାଣନ୍ତୁ ୧୦୩ ମିନିଟରେ କହିଥିବା ପ୍ରତ୍ୟେକ କଥା

ନୂଆଦିଲ୍ଲୀ,୧୫।୮: ୭୯ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୧୨ତମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ୧୦୩ ମିନିଟର ଏହି ଭାଷଣ ତାଙ୍କ ସବୁଠୁ ଲମ୍ବା ସ୍ବାଧୀନତା ଦିବସ ସମ୍ବୋଧନ ଭାବେ ଇତିହାସରେ ସ୍ଥାନ ପାଇଛି।

ମୋଦି ସ୍ବାଧୀନତାକୁ ‘ମହାପର୍ବ’ ଓ ‘ସଂକଳ୍ପର ପର୍ବ’ ଭାବେ ବର୍ଣ୍ଣନା କରି କହିଛନ୍ତି, “୧୪୦ କୋଟି ଭାରତୀୟଙ୍କ ସଂକଳ୍ପ ହିଁ ଦେଶକୁ ଆଗେଇ ନେଉଛି। ଆଜି କୋଣ ଅନୁକୋଣରେ ଗୋଟିଏ ମନ୍ତ୍ର- ‘ଦେଶ ପ୍ରଥମ’।” ସେ ସମ୍ବିଧାନ ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସମ୍ବିଧାନକୁ ଦେଶର ଦିଗଦର୍ଶନ ଭାବେ ଉଲ୍ଲେଖ କରିଛନ୍ତି।

ଅପରେସନ ସିନ୍ଦୂର ଓ ଆତଙ୍କବାଦ ବିରୋଧରେ କଠୋର ବାର୍ତ୍ତା: ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରକୁ ପ୍ରଶଂସା କରି କହିଛନ୍ତି, “ଆତଙ୍କବାଦୀମାନେ ଧର୍ମ ପଚାରି ନିରୀହ ଲୋକଙ୍କୁ ହତ୍ୟା କରୁଥିଲେ। ଆମ ଯବାନମାନେ ଏହାର ପ୍ରତିଶୋଧ ନେଇ ଆତଙ୍କୀ କ୍ୟାମ୍ପକୁ ନିଶ୍ଚିହ୍ନ କରିଛନ୍ତି। ଏହା ଆମ ଯବାନଙ୍କ ବୀରତ୍ବର ପ୍ରତିବିମ୍ବ।” ସେ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ‘ଏକତରଫା’ ବୋଲି କହି ଏହାକୁ ରଦ୍ଦ କରାଯାଇଥିବା ଉଲ୍ଲେଖ କରିଛନ୍ତି, କାରଣ “ରକ୍ତ ଓ ପାଣି ଏକାଠି ପ୍ରବାହିତ ହୋଇପାରେ ନାହିଁ।”

ଆତ୍ମନିର୍ଭର ଭାରତ ଓ ବିକଶିତ ଭାରତ: ମୋଦି ‘ଆତ୍ମନିର୍ଭର ଭାରତ’କୁ ପ୍ରକୃତ ସ୍ବାଧୀନତାର ମନ୍ତ୍ର ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, “ଆତ୍ମନିର୍ଭର ନହେଲେ ଅପରେସନ ସିନ୍ଦୂର ଭଳି ମିଶନ ସମ୍ଭବ ହୋଇନଥାନ୍ତା।” UPI ସିଷ୍ଟମର ବିଶ୍ୱବ୍ୟାପୀ ସଫଳତା ଓ ‘ଭୋକାଲ ଫର ଲୋକାଲ’ ମନ୍ତ୍ରକୁ ପ୍ରଶଂସା କରି ସେ EV ବ୍ୟାଟେରୀ ଉତ୍ପାଦନ ଓ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦେଇଛନ୍ତି।

GST ସଂସ୍କାର ଓ ଚାଷୀଙ୍କ ସ୍ବାର୍ଥ: ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ GSTରେ ସଂସ୍କାର ଆଣି ଦୈନନ୍ଦିନ ସାମଗ୍ରୀ ଶସ୍ତା କରାଯିବ, ଯାହା ଦୀପାବଳିରେ ଦେଶବାସୀଙ୍କ ପାଇଁ ଉପହାର ହେବ। ସେ ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି, କହିଛନ୍ତି, “ଚାଷୀଙ୍କ ସ୍ବାର୍ଥ ସହ କୌଣସି ସାଲିସ ହେବ ନାହିଁ।”

ଅନୁପ୍ରବେଶ ଓ ସୁଦର୍ଶନ ଚକ୍ର ମିଶନ: ସୀମାବର୍ତ୍ତୀ ଅଞ୍ଚଳରେ ଡେମୋଗ୍ରାଫି ପରିବର୍ତ୍ତନ ନେଇ ଚିନ୍ତା ପ୍ରକଟ କରି ମୋଦି ‘ହାଇ ପାୱାର ଡେମୋଗ୍ରାଫି ମିଶନ’ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହା ସହ ‘ସୁଦର୍ଶନ ଚକ୍ର ମିଶନ’ରେ ୨୦୩୫ ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ସୁରକ୍ଷା କବଚ ଦିଆଯିବ ଏବଂ ଶତ୍ରୁଙ୍କ ଆକ୍ରମଣକୁ ବିଫଳ କରାଯିବ।

RSSକୁ ପ୍ରଶଂସା: ମୋଦି RSSର ୧୦୦ ବର୍ଷର ସେବା ଓ ସଂଗଠନର ଇତିହାସକୁ ପ୍ରଶଂସା କରିଛନ୍ତି, ଏହାକୁ ଦେଶର ସାମାଜିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ବୋଲି ଉଲ୍ଲେଖ କରିଛନ୍ତି।

Share