ଯୁଦ୍ଧକୁ ନେଇ ମୋଦି ଦେଲେ ବଡ଼ ବୟାନ, ସିଧା କଲେ ଟାର୍ଗେଟ…

ନୂଆଦିଲ୍‌ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରୁ ନିଜ ଭାଷଣରେ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଯୁଦ୍ଧ ବିଷୟରେ କହିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସମଗ୍ର ବିଶ୍ୱ ଏବଂ ଭାରତ ସରକାର ଉପସାଗରୀୟ ଦେଶଗୁଡ଼ିକରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିନରାତି କାମ କରୁଛନ୍ତି, କଂଗ୍ରେସ ଦଳ “ରାଜନୀତି” ଏବଂ “ରିଲ” ତିଆରି କରିବାରେ ବ୍ୟସ୍ତ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳ ଏହି ସଙ୍କଟର ଫାଇଦା ଉଠାଇବା ପାଇଁ ଜାଣିଶୁଣି ଉତ୍ତେଜନାମୂଳକ ବୟାନ ଦେଉଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଦଳ ଏକ ବିଶ୍ୱ ସଙ୍କଟ ମଧ୍ୟରେ ରାଜନୀତି କରୁଛି।

ମୋଦି କହିଛନ୍ତି, “ମୁଁ ଖୁସି ଯେ ଉପସାଗରୀୟ ଦେଶରେ ଥିବା ଆମର ସମସ୍ତ ବନ୍ଧୁ ଦେଶର ସରକାର ଆମର ନାଗରିକଙ୍କ ଯତ୍ନ ନେଉଛନ୍ତି। ସେହି ଦେଶଗୁଡ଼ିକରେ ଆମର ମିଶନ ଏବଂ ଦୂତାବାସ ସେମାନଙ୍କୁ 24/7 ସହାୟତା ଯୋଗାଇ ଦେଉଛନ୍ତି। କିନ୍ତୁ ଏହା ଏକ ବଡ଼ ଦୁର୍ଭାଗ୍ୟ ଯେ କଂଗ୍ରେସ ଦଳ ଏତେ ବଡ଼ ବିଶ୍ୱ ସଙ୍କଟ ମଧ୍ୟରେ ରାଜନୀତି କରୁଛି। ପରିସ୍ଥିତିକୁ ଆହୁରି ଖରାପ କରିବା ପାଇଁ କଂଗ୍ରେସ ଦଳ ଜାଣିଶୁଣି ଉତ୍ତେଜନାମୂଳକ ଏବଂ ଦାୟିତ୍ୱହୀନ ବୟାନ ଦେଉଛି। ଯାହା ଦ୍ୱାରା ଆମର ଲୋକମାନେ ଏହି ସଙ୍କଟରେ ଫସି ରହିପାରିବେ, ଏବଂ ତା’ପରେ ସେମାନେ ମୋଦୀଙ୍କୁ ସମାଲୋଚନା କରି ରିଲ ତିଆରି କରିବାକୁ ଏକ ଅଭିଯାନ ଆରମ୍ଭ କରିପାରିବେ।”

“ଉପସାଗର ଏବଂ ପଶ୍ଚିମ ଏସିଆରେ କ’ଣ ଘଟୁଛି ତାହା ବିଷୟରେ ଆପଣମାନେ ସମସ୍ତେ ଚିନ୍ତିତ ହେବା ସ୍ୱାଭାବିକ। ମନେରଖନ୍ତୁ, ଆଜି ଭାଜପା-ଏନଡିଏ ସରକାର କ୍ଷମତାରେ ଅଛି। ଯେତେବେଳେ ଆମର କୌଣସି ନାଗରିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ଆମେ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମର ସମସ୍ତ ପ୍ରୟାସ କରିଛୁ। ଇରାକରୁ ନର୍ସମାନଙ୍କୁ ଉଦ୍ଧାର କରିବା ହେଉ କିମ୍ୱା ୟେମେନରେ ଆତଙ୍କବାଦୀଙ୍କ କବଳରୁ ଫାଦର ଟମଙ୍କୁ ଉଦ୍ଧାର କରିବା ହେଉ, ଭାରତ କେବେବି ତାର ନାଗରିକଙ୍କୁ କଷ୍ଟକର ସମୟରେ ପରିତ୍ୟାଗ କରେ ନାହିଁ। ଆଜି ମଧ୍ୟ, ଆମର ପ୍ରୟାସ ହେଉଛି ଯୁଦ୍ଧଗ୍ରସ୍ତ ଦେଶଗୁଡ଼ିକରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା” ବୋଲି ମୋଦି କହିଛନ୍ତି।

Share