ଓାଶିଂଟନ, ୭।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ‘ବିଗ ବ୍ୟୁଟିଫୁଲ ବିଲ’ ନୀତି ଆମେରିକୀୟ ରାଜନୀତିରେ ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି ବିଲ୍ରେ ଟ୍ୟାକ୍ସ କମେଇବା, ସୀମା ସୁରକ୍ଷା ବୃଦ୍ଧି ଏବଂ ମେଡିକେଡ ଓ ଖାଦ୍ୟ ସହାୟତା କାର୍ଯ୍ୟକ୍ରମରେ କାଟ ଅନ୍ତର୍ଭୁକ୍ତ ଅଛି। ଏହା ଆମେରିକାର ଋଣଭାରକୁ ଆଗାମୀ ଦଶ ବର୍ଷରେ ପ୍ରାୟ ୩.୮ ଟ୍ରିଲିୟନ ଡଲାର ବୃଦ୍ଧି କରିପାରେ ବୋଲି ଅନୁମାନ କରାଯାଉଛି।
ଏହି ବିଲକୁ ନେଇ ଟ୍ରମ୍ପଙ୍କ ପୂର୍ବତନ ପରାମର୍ଶଦାତା ତଥା ଟେସଲା ଓ ସ୍ପେସଏକ୍ସର ସିଇଓ ଏଲନ ମସ୍କ ତୀବ୍ର ବିରୋଧ କରିଛନ୍ତି। ମସ୍କ ଏହାକୁ ଘୃଣ୍ୟ ଅସଙ୍ଗତି ବୋଲି ଅଭିହିତ କରି କହିଛନ୍ତି ଯେ ଏହା ଆମେରିକାର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ଜିତିବାରେ ତାଙ୍କର ଆର୍ଥିକ ସହାୟତା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଜବାବରେ ଟ୍ରମ୍ପ ମସ୍କଙ୍କ ସହ ସରକାରୀ ଚୁକ୍ତି ବାତିଲ କରିବାକୁ ଧମକ ଦେଇଛନ୍ତି। ଏହି ବିବାଦ ଆମେରିକୀୟ ରିପବ୍ଲିକାନ ପାର୍ଟି ମଧ୍ୟରେ ଭାଗବଣ୍ଟା ସୃଷ୍ଟି କରିଛି।
ଏହି ବିଲରେ ଅନ୍ତର୍ଭୁକ୍ତ ଟ୍ୟାକ୍ସ ନୀତି ଓ ବାଣିଜ୍ୟ ନିୟମ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କକୁ ପ୍ରଭାବିତ କରିପାରେ। ବିଶେଷକରି, ବିଲରେ ଥିବା ଟାରିଫ ଓ ବୈଦେଶିକ ନୀତି ସଂକ୍ରାନ୍ତ ପରିବର୍ତନ ଭାରତୀୟ ରପ୍ତାନି ଓ ଆଇଟି ଶିଳ୍ପ ଉପରେ ପ୍ରଭାବ ପକାଇପାରେ। ଏହା ବ୍ୟତୀତ, ବିଲରେ ଇମିଗ୍ରେସନ ନୀତିରେ କଡାକଡି କରାଯାଇଥିବାରୁ ଭାରତୀୟ ପ୍ରଫେସନାଲଙ୍କ ପାଇଁ ଆମେରିକାରେ କାମ କରିବା କଷ୍ଟକର ହୋଇପାରେ। ତେବେ, ଏହାର ସମ୍ପୂର୍ଣ୍ଣ ପ୍ରଭାବ ବିଲ୍ଟି ସେନେଟରେ ପାସ ହେବା ପରେ ଓ ଅନ୍ୟାନ୍ୟ ନୀତି କାର୍ଯ୍ୟକାରୀ ହେବା ପରେ ହିଁ ସ୍ପଷ୍ଟ ହେବ।
ମସ୍କ ଏହା ମଧ୍ୟ ଦାବି କରିଛନ୍ତି ଯେ ଟ୍ରମ୍ପ ଜେଫ୍ରି ଏପଷ୍ଟିନ ମାମଲାରେ ଜଡିତ ଥିବାରୁ ସମ୍ପୃକ୍ତ ଫାଇଲଗୁଡିକୁ ସାର୍ବଜନୀନ କରାଯାଇନାହିଁ। ଏହି ଅଭିଯୋଗ ରାଜନୀତିରେ ଆହୁରି ବିବାଦ ସୃଷ୍ଟି କରିଛି। ଟ୍ରମ୍ପ ଏହାକୁ ଖଣ୍ଡନ କରି ମସ୍କଙ୍କୁ ଟ୍ରମ୍ପ ଡିରେଞ୍ଜମେଣ୍ଟ ସିଣ୍ଡ୍ରୋମରେ ଆକ୍ରାନ୍ତ ବୋଲି କହିଛନ୍ତି।