ଚାଇନାରେ ମୋଦି, ଜିନପିଙ୍ଗଙ୍କ ସହ ହେବ ବଡ଼ ଡିଲ୍‌!

ତିଆନଜିନ, ୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାତ ବର୍ଷ ପରେ ପ୍ରଥମ ଥର ପାଇଁ ଚାଇନାରେ ପହଞ୍ଚିଛନ୍ତି। ଆଜି ସେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ ଏବଂ ଶାଙ୍ଘାଇ ସହଯୋଗ ସଂଗଠନ (SCO) ଶିଖର ବୈଠକରେ ଭାଗ ନେବେ। ଏହି ବୈଠକ ଚାଇନାର ତିଆନଜିନ ସହରରେ ଆଜି ଓ ଆସନ୍ତାକାଲି (ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧) ଅନୁଷ୍ଠିତ ହେବ।

ମୋଦି ଶନିବାର ତିଆନଜିନର ବିନହାଇ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବାଗତ କରାଯାଇଥିଲା। ସେମାନେ “ଭାରତ ମାତା କୀ ଜୟ” ଓ “ବନ୍ଦେ ମାତରମ” ନାରା ଦେଇ ପ୍ରଧାନମନ୍ତ୍ରୀଙ୍କୁ ସୱାଗତ କରିଥିଲେ। ଏହା ପରେ ଚୀନୀ କଳାକାରମାନେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଯନ୍ତ୍ର ଯଥା ସିତାର, ସନ୍ତୁର ଓ ତବଲାରେ ପ୍ରଦର୍ଶନ କରିିଥିଲେ।

ଏହି ଭେଟ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ୨୦୨୦ରେ ଗାଲୱାନ ଉପତ୍ୟକାରେ ହୋଇଥିବା ସଂଘର୍ଷ ଓ ପୂର୍ବ ଲଦାଖରେ ଦୀର୍ଘ ସମୟ ଧରି ଚାଲିଥିବା ସାମରିକ ଉତ୍ତେଜନା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଉନ୍ନତି ହେବାରେ ଲାଗିଛି। ଗତ ଅକ୍ଟୋବର ୨୦୨୪ରେ ରୁଷିଆର କାଜାନଠାରେ ବ୍ରିକ୍ସ ଶିଖର ବୈଠକରେ ମୋଦୀ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଉଭୟ ଦେଶ ସୀମା ସମସ୍ୟାର ସମାଧାନ ପାଇଁ ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିବାକୁ ସହମତ ହୋଇଥିଲେ। ଏହା ସହିତ, ସିଧାସଳଖ ବିମାନ ସେବା ପୁନଃସ୍ଥାପନ ଓ ଭିସା ପ୍ରକ୍ରିୟାକୁ ସହଜ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ରପ୍ତାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଏବଂ ରୁଷିଆ ତୈଳ କ୍ରୟ ପାଇଁ ୨୫ ପ୍ରତିଶତ ’ଦଣ୍ଡ’ ଶୁଳ୍କ ଆରୋପ କରାଯାଇଛି। ଏହା ଭାରତକୁ ଚୀନ ଓ ରୁଷିଆ ସହ ଆହୁରି ନିକଟତର କରିଛି। ଏହି ପରିପ୍ରେକ୍ଷୀରେ ମୋଦୀ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ବାଣିଜ୍ୟ, ବିନିଯୋଗ ଏବଂ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ଉପରେ ଗୁରୁତ୍ୱ ଦେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଜାପାନରେ ଏକ ସାକ୍ଷାତକାରରେ କହିଥିଲେ ଯେ ଭାରତ-ଚୀନ ସମ୍ପର୍କ ଆଞ୍ଚଳିକ ଶାନ୍ତି ଓ ସମୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ ମୋଦି ସୋମବାର (ସେପ୍ଟେମ୍ବର ୧) SCO ଶିଖର ବୈଠକରେ ଭାଗ ନେବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିବେ। ଏହି ବୈଠକରେ ଟ୍ରମ୍ପଙ୍କ ଶୁଳ୍କ ନୀତି, ରୁଷିଆ-ୟୁକ୍ରେନ ସଂଘର୍ଷ ଏବଂ ଗାଜା ପରିସ୍ଥିତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

SCO ସମ୍ମିଳନୀରେ ୧୦ଟି ସଦସ୍ୟ ରାଷ୍ଟ୍ର (ଭାରତ, ଚୀନ, ରୁଷିଆ, ପାକିସ୍ତାନ, ଇରାନ, କାଜାଖସ୍ତାନ, ର୍କିଗିଜସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ଓ ବେଲାରୁଷ) ମିଳିତ ହୋଇ ସନ୍ତ୍ରାସବାଦ, ଆଞ୍ଚଳିକ ସୁରକ୍ଷା ଓ ବାଣିଜ୍ୟ ଭଳି ମୁଖ୍ୟ ବିଷୟ ଉପରେ ଆଲୋଚନା କରିବେ। ଭାରତ ଏହି ସମ୍ମିଳନୀରେ ସୀମାନ୍ତ ସନ୍ତ୍ରାସବାଦ ବିରୋଧରେ କଡ଼ା ନିନ୍ଦା କରିବା ପାଇଁ ଜୋର ଦେବ ବୋଲି ଜଣାପଡ଼ିଛି। ଏହି ଗସ୍ତ ଓ ବୈଠକ ଭାରତ-ଚୀନ ସମ୍ପର୍କକୁ ଏକ ନୂଆ ଦିଗ ଦେବା ସହ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।

Share