ବିପର୍ଯ୍ୟୟ ପ୍ରଶମନ ପାଇଁ ମକ୍‌ ଡ୍ରିଲ୍‌

ରାଉରକେଲା,୭।୪(ବିପ୍ଳବ ରଞ୍ଜନ ଦାଶ): ଆର୍‌ଏସ୍‌ପିର ଅକ୍ସିଜେନ ପ୍ଲାଣ୍ଟ ବିଭାଗର ପ୍ରୋପେନ ପ୍ଲାଣ୍ଟ-୩ ପରିସରରେ ଗତ ୪ତାରିଖରେ ନ୍ୟାଶନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ (ଏନ୍‌ଡିଆର୍‌ଏଫ) ଏବଂ ଆର୍‌ଏସ୍‌ପି ଦ୍ୱାରା କାଳ୍ପନିକ ପ୍ରୋପେନ ଗ୍ୟାସ୍‌ ଅଗ୍ନିକାଣ୍ଡର ମୁକାବିଲା ପାଇଁ ଯୁଗ୍ମ ସୁରକ୍ଷା ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି।

ପ୍ରାବଧାନିକ ଆବଶ୍ୟକତା ଅନୁଯାୟୀ କାରଖାନାରେ ଯେକୌଣସି ଗ୍ୟାସ୍‌ ଅଗ୍ନିକାଣ୍ଡ ଜନିତ ସମ୍ଭାବ୍ୟ ଘଟଣାର ମୁକାବିଲା ସକାଶେ ଆର୍‌ଏସ୍‌ପିର ଅନ୍‌ସାଇଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ସିଷ୍ଟମର କାର୍ଯ୍ୟଦକ୍ଷତା ତଥା ସମ୍ପୃକ୍ତ ବିଭାଗୀୟ କର୍ମଚାରୀମାନଙ୍କ ପ୍ରସ୍ତୁତିର ଆକଳନ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉକ୍ତ ମକ୍‌ ଡ୍ରିଲ୍‌ରେ କାର୍ଯ୍ୟ ବିଭାଗ ନିର୍ବାହୀ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ପଲାଇ, ଆର୍‌ଏମ୍‌ସି ଉପାୟୁକ୍ତ ଅନିତା ନାୟକ, ରାଜ୍ୟ ଫ୍ୟାକ୍ଟ୍ରି ଓ ବୟଲର ବିଭାଗ ଉପ-ନିର୍ଦ୍ଦେଶକ ବିଭୂ ପ୍ରସାଦ, ସହକାରୀ ନିର୍ଦ୍ଦେଶକ ଏସ୍‌. କେ. ରାଉତ, ମେଣ୍ଟେନାନ୍ସ ବିଭାଗର ସିଜିଏମ ଇନ୍‌ଚାର୍ଜ ଏସ୍‌. ଏସ୍‌ ରାୟଚୌଧୁରୀ, ଇଏମ୍‌ଡି ବିଭାଗ ସିଜିଏମ୍‌ ପି. ଏସ୍‌ କନ୍ନନ, ସର୍ଭିସେସ ବିଭାଗ ସିଜିଏମ୍‌ ଆତିଶ ଚନ୍ଦ୍ର ସରକାର, ପରିବେଶ ଓ ୟୁଟିଲିଟି ବିଭାଗ ସିଜିଏମ୍‌ ହୀରାଲାଲ ମହାପାତ୍ର, ସୁରକ୍ଷା ବିଭାଗ ଜିଏମ୍‌ ଅବକାଶ ବେହେରା, ଅଗ୍ନିଶମ ସେବା ବିଭାଗ ଡିଜିଏମ ଏମ୍‌. ଆଇ ସୋଙ୍କୁଶରେ, ସିଆଇଏସ୍‌ଏଫ୍‌ର ଡେପୁଟି କମାଣ୍ଡାଣ୍ଟ ବି. କୁମାର ତଥା ଆରଏସ୍‌ପି, ସିଆଇଏସ୍‌ଏଫ୍‌,ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ର ବହୁ ଅଧିକାରୀ ଉପସ୍ଥିତ ଥିଲେ।

ଉକ୍ତ ଯୁଗ୍ମ ମକ୍‌ ଡ୍ରିଲରେ ପଲାଇ ଏଭଳି ଅଭ୍ୟାସ ପରିସୀମାକୁ କାରଖାନାର ଅଞ୍ଚଳକୁ ବ୍ୟାପ୍ତ କରିବାରେ ଗୁରୁତ୍ୱାରୋପ କରିଥିଲେ। ମକ୍‌ ଡ୍ରିଲରେ ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ସେବା ବିଭାଗ, ଅକ୍ସିଜେନ ପ୍ଲାଣ୍ଟ ଓ ସିଆଇଏସ୍‌ଏଫ୍‌ ବିଭାଗକୁ ନେଇ କାର୍ମିକମାନେ କମ୍ବାଟ ଦଳ, ରେସକ୍ୟୁ ଦଳ ଏବଂ ଆନୁଷଙ୍ଗିକ ଦଳ ଭାବେ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖନୀୟ, ସମ୍ଭାବ୍ୟ ବିପଦର ନିପୂଣ ମୁକାବିଲା ପାଇଁ ଏଭଳି ସୁରକ୍ଷା ଡ୍ରିଲ୍‌ ସାରା କାରଖାନା ମଧ୍ୟରେ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଛି। ଅକ୍ସିଜେନ ପ୍ଲାଣ୍ଟ ବିଭାଗ ଜିଏମ୍‌ ଇନ୍‌ଚାର୍ଜ ଏସ୍‌. ଏସ୍‌. ସାଇନିଙ୍କ ମାର୍ଗଦର୍ଶନରେ ଜିଏମ୍‌ ଉଲ୍ଲାସ ଭୂଜବଳ ଏବଂ ସୁରକ୍ଷା ବିଭାଗ ଡେପୁଟି ମ୍ୟାନେଜର ବିଶ୍ୱଜିତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।