ଆପଣଙ୍କ ନାମରେ ନିଆଯାଇଥିବା SIMର ଅପବ୍ୟବହାର ହେଲେ ଦାୟୀ ରହିବେ ଆପଣ: ଟେଲିକମ୍ ବିଭାଗ

ନୂଆଦିଲ୍ଲୀ,୨୪ା୧୧: ଯଦି ଜଣେ ମୋବାଇଲ୍ ଗ୍ରାହକଙ୍କ ନାମରେ ନିଆଯାଇଥିବା ସିମ୍ କାର୍ଡ଼କୁ ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିବାର ଦେଖାଯାଏ, ତେବେ ମୋବାଇଲ୍ ଗ୍ରାହକ ସେଥିପାଇଁ ଦାୟୀ ଏବଂ ଦଣ୍ଡନୀୟ ହୋଇପାରନ୍ତି। ଦୂରସଞ୍ଚାର ବିଭାଗ (DoT) ପକ୍ଷରୁ ସୋମବାର ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।

ବିଭାଗ ପକ୍ଷରୁ ସମସ୍ତ ନାଗରିକଙ୍କୁ ସତର୍କ କରାଯାଇ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି:

ଇଣ୍ଟରନ୍ୟାସନାଲ ମୋବାଇଲ୍ ଇକ୍ୟୁପମେଣ୍ଟ ଆଇଡେଣ୍ଟିଟି (IMEI) ନମ୍ବରରେ ହେରଫେର ହୋଇଥିବା ମୋବାଇଲ୍ ଡିଭାଇସ୍ ବ୍ୟବହାର କରିବା।

ଜାଲ୍ କାଗଜପତ୍ର, ଠକେଇ କିମ୍ବା ଅନ୍ୟର ପରିଚୟ ବ୍ୟବହାର କରି ସିମ୍ କାର୍ଡ ହାସଲ କରିବା।

ନିଜ ନାମରେ ନିଆଯାଇଥିବା ସିମ୍ କାର୍ଡକୁ ଅନ୍ୟ କାହାକୁ ଦେବା, ଯିଏ ଏହାର ଅପବ୍ୟବହାର କରିପାରେ।

ବିଭାଗ କହିଛି ଯେ, ଯଦି ଆପଣଙ୍କ ନାମରେ ନିଆଯାଇଥିବା ସିମ୍ କାର୍ଡ଼ର ପରବର୍ତ୍ତୀ ସମୟରେ ଅପବ୍ୟବହାର ହୁଏ, ତେବେ ମୂଳ ବ୍ୟବହାରକାରୀଙ୍କୁ ମଧ୍ୟ ଅପରାଧୀ ଭାବରେ ଦାୟୀ କରାଯାଇପାରେ ଏବଂ ଏହାର ଗୁରୁତର ଆଇନଗତ ପରିଣାମ ହୋଇପାରେ।

ଟେଲିକମ୍ୟୁନିକେସନ୍ ଅଧିନିୟମ, ୨୦୨୩ ଅନୁଯାୟୀ IMEI ସମେତ ଟେଲିକମ୍ୟୁନିକେସନ୍ ଚିହ୍ନଟକାରୀରେ ହେରଫେର କଲେ କଠୋର ଦଣ୍ଡବିଧାନ ପାଇଁ ବ୍ୟବସ୍ଥା ରହିଛି। ଏହି ଆଇନର ଉଲ୍ଲଂଘନ କଲେ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା, କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ଏହି ଅପରାଧଗୁଡ଼ିକ ସଙ୍ଗେୟ ଏବଂ ଜାମିନବିହୀନ ଅଟେ।

ନାଗରିକମାନେ ନିଜ ମୋବାଇଲ୍ ସଂଯୋଗକୁ ସୁରକ୍ଷିତ ଏବଂ ଯାଞ୍ଚ କରିବା ପାଇଁ ସରକାର ‘ସଞ୍ଚାର ସାଥୀ’ ପୋର୍ଟାଲ କିମ୍ବା ମୋବାଇଲ୍ ଆପ୍ ଆରମ୍ଭ କରିଛନ୍ତି। ଏହି ପୋର୍ଟାଲ ମାଧ୍ୟମରେ ମୋବାଇଲ୍ ବ୍ୟବହାରକାରୀମାନେ ସେମାନଙ୍କ ଡିଭାଇସ୍ IMEI ବିବରଣୀ ଯାଞ୍ଚ କରିପାରିବେ, ଯାହା ମୋବାଇଲର ବ୍ରାଣ୍ଡ୍ ନାମ, ମଡେଲ୍ ଏବଂ ଉତ୍ପାଦକଙ୍କ ସୂଚନା ପ୍ରଦର୍ଶନ କରିଥାଏ।

ଦୂରସଞ୍ଚାର ସମ୍ବଳର ଅପବ୍ୟବହାରକୁ ରୋକିବା ଏବଂ ସମସ୍ତ ନାଗରିକଙ୍କ ପାଇଁ ଏକ ସୁରକ୍ଷିତ ଟେଲିକମ୍ୟୁନିକେସନ୍ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସରକାର ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।