ଥୁଆମୂଳ ରାମପୁର, ୨୬।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜେଏମଏଫସି (JMFC) କୋର୍ଟ ସମ୍ମୁଖରେ ଗାଡ଼ି ମାଲିକଙ୍କ ସୁବିଧା ପାଇଁ ଏକ ଭ୍ରାମ୍ୟମାଣ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର (Mobile Vehicle Pollution Testing Unit) ପକ୍ଷରୁ ସେବା ଯୋଗାଇ ଦିଆଯାଉଛି । ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ (RTA) ଦ୍ୱାରା ଅନୁମୋଦିତ ‘ଦାଶ ମୋବାଇଲ୍ ପ୍ରଦୂଷଣ ଯାଞ୍ଚ ୟୁନିଟ୍’ ପକ୍ଷରୁ ଏହି ଶିବିର ଗତ ଦୁଇ ଦିନ ଧରି ଚାଲିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ପ୍ରାୟ ୬୦ ଜଣ ଗାଡ଼ି ଚାଳକ ନିଜ ନିଜ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର (PUCC) ନବୀକରଣ କରିଥିବା ବେଳେ, ଆଜି ଅର୍ଥାତ୍ ୨୬ ତାରିଖରେ ଏହି ସଂଖ୍ୟା ବୃଦ୍ଧି ପାଇ ୮୫ରେ ପହଞ୍ଚିଛି। ସ୍ଥାନୀୟ ଅଞ୍ଚଳରେ ଏହି ସୁବିଧା ମିଳୁଥିବାରୁ ବହୁ ସଂଖ୍ୟାରେ ବାଇକ୍ ଓ କାର୍ ଚାଳକମାନେ ଏଠାକୁ ଆସି ନିଜ ଗାଡ଼ିର ଯାଞ୍ଚ କରାଉଥିବା ଦେଖିବାକୁ ମିଳିଛି। ୟୁନିଟ୍ ପରିଚାଳକ ତୁଳସୀ ଦାଣ୍ଡସେନା ଓ ଶ୍ରବଣ କୁମାର ମେହେରଙ୍କ ସୂଚନା ଅନୁଯାୟୀ, ସରକାରୀ ନିୟମ ଅନୁସାରେ ମାତ୍ର ୭୦ ଟଙ୍କା ବିନିମୟରେ ଏହି ପ୍ରଦୂଷଣ ପ୍ରମାଣପତ୍ର ପ୍ରଦାନ କରାଯାଉଛି।
ଦୂରଦୂରାନ୍ତକୁ ଯାଇ ହଇରାଣ ହେବା ଅପେକ୍ଷା ନିଜ ଅଞ୍ଚଳରେ ଏହି ସୁବିଧା ପାଉଥିବାରୁ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି। ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଏହି ମୋବାଇଲ୍ ୟୁନିଟ୍ ଥୁଆମୂଳ ରାମପୁରରେ ରହିବ। ଯେଉଁମାନଙ୍କ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ରର ଅବଧି ଶେଷ ହୋଇଯାଇଛି, ସେମାନେ ତୁରନ୍ତ ଏଠାକୁ ଆସି ନିଜ ଗାଡ଼ିର ଯାଞ୍ଚ କରାଇ ଆର୍ଟିଓ (RTO) ର ମୋଟା ଅଙ୍କର ଜୋରିମାନାରୁ ବଞ୍ଚିବା ପାଇଁ ୟୁନିଟ୍ ପକ୍ଷରୁ ଅନୁରୋଧ କରାଯାଇଛି ।