ଦାରିଙ୍ଗବାଡି, ୨୪।୧ (ଅରୁଣ ସାହୁ ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏବେ ଗାଡି ମାଲିକମାନେ ନିଜ ପଲ୍ୟୁସନ ସାର୍ଟିଫିକେଟ କରାଇବା ପାଇଁ ଲାଗିପଡ଼ିଛନ୍ତି। କିନ୍ତୁ ଏଥିରେ ବଡ଼ ଚିନ୍ତା ଦେଖାଯାଇଛି। ପୂର୍ବରୁ ଦାରିଙ୍ଗବାଡିର ଏକ ପେଟ୍ରୋଲ ଟାଙ୍କିରେ ପଲ୍ୟୁସନ କରାଇବା ବ୍ୟବସ୍ଥା ରହିଥିବାବେଳେ ଗତ କିଛି ବର୍ଷ ହେଲା ଏହି ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଦାରିଙ୍ଗବାଡିବାସୀଙ୍କ ପାଇଁ ପଲ୍ୟୁସନ ସାର୍ଟିଫିକେଟ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ଜଣାପଡିଛି। ତେବେ ଗଞ୍ଜାମ ଜିଲାର ଏକ ଭ୍ରାମ୍ୟମାଣ ପଲ୍ୟୁସନ ପରୀକ୍ଷା ଟିମ୍ ଦାରିଙ୍ଗବାଡିର ସିମନବାଡି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଲୋକଙ୍କ ଗାଡିର ପଲ୍ୟୁସନ ଯାଞ୍ଚ ଓ ସାର୍ଟିଫିକେଟ ପ୍ରଦାନ ବ୍ୟବସ୍ଥା କରାଇଥିଲେ। ତେବେ ବହୁ ଗାଡି ମାଲିକଙ୍କ ବିଏସଏନଏଲ ମୋବାଲଲ ନମ୍ବରରେ ଓଟିପି ଆସୁଥିବା ବେଳେ ବିଏସଏନଏଲ ସେବା ଅଚଳ ଯୋଗୁ ଲୋକଙ୍କ ପଲ୍ୟୁସନ ହୋଇପାରି ନ ଥିବା ଦେଖାଯାଇଛି। ପଲ୍ୟୁସନ ପାଇଁ ବିଏସଏନଏଲ ସେବା ବାଧକ ସାଜିଥିବା ଓ ଜନସାଧାରଣ ହଇରାଣ ଭୋଗୁଥିବା ଜଣାପଡିଛି। ତେବେ ପଲ୍ୟୁସନ କରାଉଥିବା ଭ୍ରାମ୍ୟମାଣ ଟିମ୍ ସିମନବାଡି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଅମିତା ପ୍ରଧାନ ଏବଂ ସମିତିସଭ୍ୟ ସାଧୁ ନାୟକଙ୍କ ସହଯୋଗରେ ପଲ୍ୟୁସନ ଟେଷ୍ଟ କରାଇ ସାର୍ଟିଫିଜେଟ ପ୍ରଦାନ କାର୍ଯ୍ୟକୁ ଜାରି ରଖିଛନ୍ତି। ସେହି ଟିମ୍ ଦାରିଙ୍ଗବାଡି ସମେତ ସିମନବାଡି ଅଞ୍ଚଳରେ କିଛି ଦିନ ରହି ପଲ୍ୟୁସନ ଟେଷ୍ଟିଂ ଓ ସାର୍ଟିଫିକେଟ ପ୍ରଦାନ କରିବେ ବୋଲି ଜଣାପଡିଛି।