ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା ସହ ଏବେ ପଶୁପକ୍ଷୀଙ୍କ ପ୍ରତି ମଧ୍ୟ ସେମାନେ ନିଷ୍ଠୁର ସାଜିଛନ୍ତି। ଏହିଭଳି ଏକ ଅମାନବିକ ଘଟଣା ଗଞ୍ଜାମ ସହରରେ ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ରାସ୍ତା ଉପରେ ଏକ କୁକୁର ଶୋଇଥିବା ବେଳେ ବସ ଚାଳକ ଜଣକ ହର୍ନ ମାରିଥିଲେ। କୁକୁରଟି ଉଠିବାରେ ସାମାନ୍ୟ ବିଳମ୍ବ କରିବାରୁ ଚାଳକ ଜଣକ ଧୌର୍ଯ୍ୟ ହରାଇ ତା’ ଗୋଡ଼ ଉପରେ ବସ ଚଢ଼ାଇ ଦେଇଥିଲେ। ଫଳରେ କୁକୁରଟି ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହୋଇଥିଲା।
ସ୍ଥାନୀୟ ଗୋ-ରକ୍ଷକ ତଥା ସାମାଜିକ କର୍ମୀ ଏଲେୟା ଏହାକୁ ବିରୋଧ କରିବାରୁ ଚାଳକ ଜଣକ ଅତି ଅଶୋଭନୀୟ ଭାବେ କହିଥିଲେ, “ଏଇଟା ଗୋଟେ ଦେଶୀ କୁକୁର, ଏଥିପାଇଁ କ’ଣ ଦେଶ ଭାସିଗଲା?” ଏତିକିରେ ସେ ଅଟକି ନ ଥିଲେ, ବରଂ ଉପହାସ କରି ୧୦୦ ଟଙ୍କା ବଢ଼ାଇ ଦେଇ ଚିକିତ୍ସା କରିବାକୁ କହିଥିଲେ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ‘ମୋ ବସ’ର କିଛି ଡ୍ରାଇଭର ଅତ୍ୟନ୍ତ ବେପରୁଆ ଭାବେ ଗାଡ଼ି ଚଳାଉଛନ୍ତି। ନିର୍ଦ୍ଧାରିତ ଷ୍ଟପେଜରେ ଗାଡ଼ି ନ ରଖିବା କିମ୍ବା ଯାତ୍ରୀ ଠିଆ ହୋଇଥିବା ସ୍ଥାନଠାରୁ ବହୁ ଦୂରରେ ଗାଡ଼ି ରଖିବା ଭଳି ଘଟଣା ଏବେ ନିତିଦିନିଆ ହୋଇଗଲାଣି। ଯାତ୍ରୀମାନେ ଏଥିରେ ଅତିଷ୍ଠ ହୋଇପଡ଼ିଥିବା ବେଳେ ପ୍ରଶାସନ ତୁରନ୍ତ ଏହି ବେପରୁଆ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
Dharitri – Odisha’s No.1 Odia Daily

Share