ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ ଖରିଫ୍‌ରେ ଅମଳ ହୋଇଥିବା ଧାନ ବିକ୍ରି ପାଇଁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ପଞ୍ଜୀକୃତ ହୋଇପାରି ନାହାନ୍ତି। ଫଳରେ ସେମାନଙ୍କ ଧାନ ବିକ୍ରି ହୋଇ ପାରି ନାହିଁ ଏବଂ ତାହା କ୍ଷେତ, ଖଳା ସମେତ ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ରହିଛି। ସେହି ଧାନ ବିକ୍ରି ପାଇଁ ଚାଷୀମାନେ ସ୍ଥାନୀୟ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ଠାରୁ ଆରମ୍ଭ କରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାଁ ଧପଡ଼ ହୋଇଛନ୍ତି। ସ୍ଥାନୀୟ ବିଧାୟକମାନଙ୍କୁ ମଧ୍ୟ ଏହି ସମସ୍ୟା ଅବଗତ କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇଛନ୍ତି। ଏହାସତ୍ତ୍ୱେ କିଛି ସୁଫଳ ମିଳିପାରି ନାହିଁ। କେବଳ ସେତିକି ନୁହେଁ, ଏପରିକି ଏକଦା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଚାଲିଥିବାବେଳେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ବାଦ୍‌ ପଡ଼ିଥିବା ସମସ୍ତ ଯୋଗ୍ୟଚାଷୀଙ୍କୁ ଧାନବିକ୍ରି ଟୋକନ ମିଳିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ। ସେହିପରି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମଧ୍ୟ ବିଧାନସଭାରେ ଚାଷୀଙ୍କ ଏଭଳି ସମସ୍ୟାକୁ ସ୍ବୀକାର କରିବା ସହିତ ସମ୍ପୃକ୍ତ ଚାଷୀମାନେ ଯେଭଳି ଧାନବିକ୍ରି କରି ପାରିବେ, ସେ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାସତ୍ତ୍ୱେ ସରକାର ସେ ଦିଗରେ କିଛି ପଦକ୍ଷେପ ନେଇ ନାହାନ୍ତି। ଅନ୍ୟପଟେ ଧାନବିକ୍ରି କରି ପାରି ନ ଥିବା ଚାଷୀଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଗତ ୯ତାରିଖରୁ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନଗଦା କରି ଦିନରାତି ଧାରଣାରେ ବସିଛନ୍ତି। ଧାରଣାସ୍ଥଳୀରେ ରନ୍ଧାବଢ଼ା କରି ଭୋଜନ କରିବା ସହିତ ଖରାବର୍ଷା ସହି ନିଜର ହକ୍‌ ଦାବିରେ ଚାଷୀମାନେ ଧାରଣା ଜାରି ରଖିଛନ୍ତି। ଧାରଣାକୁ କଂଗ୍ରେସ, ବିଜେଡ଼ି ସମେତ ବିଭିନ୍ନ ସଙ୍ଗଠନ ସମର୍ଥନ ମଧ୍ୟ କରିଛନ୍ତି। କିନ୍ତୁ ସମସ୍ୟାର ସମାଧାନ ହୋଇ ନାହିଁ। ସରକାର ସେମାନଙ୍କ ଧାନ ନ କିଣିଲେ ଆଗକୁ ଚାଷୀମାନେ ସପରିବାର ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ବର ୨୮ରୁ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିଲା। ସେହିଦିନଠାରୁ ଧାନମଣ୍ଡି ଗୁଡ଼ିକ ଖୋଲିବା ପରେ ଜିଲାର ପଞ୍ଜୀକୃତ ଚାଷୀମାନେ ଧାନ ବିକ୍ରିବଟା କରିଥିଲେ। କିନ୍ତୁ ସ୍ଥାନୀୟ ପ୍ରାଥମିକ କୃଷି ସମବାୟ ସମିତିର ବିଭାଗୀୟ ଅଧିକାରୀଙ୍କଠାରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଆବଶ୍ୟକ କାଗଜାତ୍‌ ଦାଖଲ ସହିତ ଆବେଦନ କରିବା ସତ୍ତ୍ୱେ ଜିଲାର ଅନେକ ଚାଷୀ ପଞ୍ଜୀକୃତ ହୋଇପାରି ନାହାନ୍ତି। ଜିଲାର ଭେଡ଼େନ, ଅମ୍ବାଭୋନା, ପାଇକମାଳ, ଗାଇସିଲେଟ୍‌ ସମେତ ବିଭିନ୍ନ ବ୍ଲକରେ ଏଭଳି ଶତାଧିକ ଚାଷୀ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଛନ୍ତି। ଏହାକୁ ନେଇ ଚାଷୀମାନେ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହେଲେ ଚାଷୀଙ୍କୁ ଆଶ୍ୱାସନା ଛଡ଼ା ଅନ୍ୟକିଛି ମିଳିପାରି ନାହିଁ। ଜିଲାର ପ୍ରାୟ ୨୫୦୦ରୁ ୩ହଜାର ପର୍ଯ୍ୟନ୍ତ ଚାଷୀ ବିଭାଗୀୟ ଅବହେଳା ଯୋଗୁ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବୋଲି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। ସହରାଟିକ୍ରା ମଣ୍ଡିରେ ସର୍ବାଧିକ୨୫ରୁ ୩୦ହଜାର ପକେଟ୍‌ ଧାନ ବିକ୍ରି ଅପେକ୍ଷାରେ ଥିବାବେଳେ ପାଇକମାଳରେ ୧୫୦୦, ଅମ୍ବାଭୋନାରେ ୧୫୦୦ ପକେଟ୍‌ ଧାନ ଏଭଳି ପଡ଼ି ରହିଛି। ସେହିପରି ଅନ୍ୟ ବ୍ଲକରେ ମଧ୍ୟ ଅନେକ ଚାଷୀ ଏଭଳି ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ଅପରପକ୍ଷେ ଆସନ୍ତା ୩୧ତାରିଖ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ସରିଯିବ। ତେବେ ବିଭାଗୀୟ ଅବହେଳା ଯୋଗୁ ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ କିଣା ନଗଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ମହାପାତ୍ର କହିଛନ୍ତି।

 

Dharitri – Odisha’s No.1 Odia Daily

 

Share