ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା ସଚେତନତା ରଥ’ର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଏହି ରଥକୁ ଉଦଘାଟନ କରିବା ସହ ବ୍ଲକସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ି ଛୁଆଁ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ସିଦ୍ଧେଶ୍ୱର ଗ୍ରାମସ୍ଥିତ ନୋଡାଲ ହାଇସ୍କୁଲ ପରିସରରେ ଆୟୋଜିତ ଏହି ସଭାରେ ବିଧାୟକଙ୍କ ଉପସ୍ଥିତିରେ ୧୩ ଜଣ ଛାତ୍ରଛାତ୍ରୀଙ୍କୁ ଶିଶୁବାଟିକା ଶ୍ରେଣୀରେ ନାମଲେଖା କରାଯାଇଥିଲା। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଲା ଡ୍ରପ୍ ଆଉଟ୍ ହାର ହ୍ରାସ କରିବା, ନିୟମିତ ବିଦ୍ୟାଳୟ ଗମନ(୬ ରୁ ୧୪ ବର୍ଷର ସମସ୍ତ ପିଲାଙ୍କୁ ସରକାରୀ ସ୍କୁଲରେ ନାମ ଲେଖାଇବାକୁ ଉତ୍ସାହିତ କରିବା), ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ(ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା)।
ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସରପଞ୍ଚ ବିଜୟ କୁମାର ପ୍ରଧାନ, ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ରସାନନ୍ଦ ଘଡେଇ, ବିଶ୍ରବା ପାଇକ, ନାଏବ ସରପଞ୍ଚ ପ୍ରତିନିଧି ବିଦେଶୀ ଗୈାଡ ଏବଂ ଭାଜପା ମଣ୍ଡଳ ସଭାପତି ମିଟୁ ଦୋରା ପ୍ରମୁଖ ଯୋଗ ଦେଇଥିଲେ।
ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ନାୟକ, ଗୋଷ୍ଠୀ ସାଧନ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ସମସ୍ତ ସିଆରସିସି (CRCC) ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ଏହି ସଚେତନତା ରଥ ଆଗାମୀ ୪ ଦିନ ଧରି ବ୍ଲକର ୧୬ଟି କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ପରିଭ୍ରମଣ କରିବ। ଏହା ମାଧ୍ୟମରେ ଅଭିଭାବକମାନଙ୍କୁ ସ୍କୁଲ ଶିକ୍ଷାର ଗୁରୁତ୍ୱ ବିଷୟରେ ସଚେତନ କରାଯିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily