Mitchell Marsh of Delhi Capitals during match 27 of the TATA Indian Premier League 2022 (IPL season 15) between the Delhi Capitals and the Royal Challengers Bangalore held at the Wankhede stadium in Mumbai on the 10th April 2022 Photo by Deepak Malik / Sportzpics for IPL
ମୁମ୍ବାଇ, ୧୮ା୪ : ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶ କୋଭିଡ୍ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ ଆସିବା ପରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳାଯିବ କି ନାହିଁ ସେନେଇ ସନ୍ଦେହ ଦେଖାଦେଇଥିଲା। ମାତ୍ର ପରେ ବାଧ୍ୟତାମୂଳକ ଥିବା ଆର୍ଟି-ପିସିଆର ଟେଷ୍ଟରେ ତାଙ୍କର ନେଗେଟିଭ ଆସିବାରୁ ମ୍ୟାଚ ଖେଳାଯିବାକୁ ନେଇ ଦେଖା ଦେଇଥିବା ଆଶଙ୍କା ଦୂର ହୋଇଛି। ଏନେଇ ସୋମବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ଅନ୍ୟ ଖେଳାଳିମାନଙ୍କର ମଧ୍ୟ ଆର୍ଟି-ପିସିଆର ରିପୋର୍ଟ ନେଗେଟିଭ ଆସିଛି। ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପ୍ୟାଟ୍ରିକ୍ ଫରହତ୍ କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଆଇସୋଲେଶନ ରଖାଯାଇ ତାଙ୍କର ଚିକିତ୍ସା କରାଯାଇଥିଲା। ଖବର ଅନୁସାରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡରଙ୍କ ନିକଟରେ କିଛିଟା ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା। ସେଥିରେ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କୁ ଫରହତଙ୍କ ତତ୍ତ୍ୱାବଧାନରେ ରିହାବିଲେଶନରେ ରହିବା ଲାଗି ନିର୍ଦ୍ଦେଶ ହୋଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଦଳ ସୋମବାର ମୁମ୍ବାଇରୁ ପୁଣେ ଗସ୍ତ କରିବା କାର୍ଯ୍ୟକ୍ରମ ରହିଥିଲା। ମାତ୍ର ମାର୍ଶଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପଜିଟିଭ ଆସିବାରୁ ପ୍ରୋଟୋକଲ ଅନୁସାରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ହୋଟେଲ ରୁମ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଯେଉଁମାନଙ୍କର ରିପୋର୍ଟ ନେଗଟିଭ ଆସିଛି ସେମାନେ ମଙ୍ଗଳବାର ପୁଣେ ଗସ୍ତ କରିବେ। ସୂଚନା ମୁତାବକ, ବିସିସିଆଇର ଟେଷ୍ଟିଂ ପ୍ରୋଟୋକଲ ଅନୁସାରେ ଏକ ଆଇପିଏଲ୍ ଦଳର ପ୍ରତ୍ୟେକ ସଦସ୍ୟଙ୍କ ପ୍ରତି ୫ ଦିନରେ କୋଭିଡ ଟେଷ୍ଟ ବାଧ୍ୟତାମୂଳକ।