ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କଲେ ମିଶନ ଶକ୍ତି ମହିଳା

ବୁଗୁଡ଼ା,୨୪ା୯(କାଳୀଚରଣ ଦାଶ): ରାଜ୍ୟ ମିଶନ ଶକ୍ତି କର୍ମୀ ସଂଘର ଆହ୍ବାନ କ୍ରମେ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମିଶନ ଶକ୍ତି କର୍ମୀ ସଂଘ ବ୍ଲକ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛନ୍ତି। ବୁଗୁଡ଼ା ଏନ୍‌ଏସି ଏବଂ ବ୍ଲକର ୨୧ ପଞ୍ଚାୟତର ଏସ୍‌ଏଚ୍‌ଜି ମହିଳାଗଣ ଧାରଣା ଦେଇ ବସି ରହିବା ସହିତ ସେମାନଙ୍କ ଦାବି ପୂରଣ
ପାଇଁ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ପ୍ରତିବାଦର କାରଣ ଏହା ରହିଥିଲା ଯେ, ପୂର୍ବ ସରକାର ସମୟରେ ରାଜ୍ୟର ପ୍ରତ୍ୟେକ ଜିଲାର ତୃଣମୂଳ ସ୍ତରରେ ମହିଳା ସଶକ୍ତିକରଣ ଲକ୍ଷ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀମାନ ଗଠନ ହୋଇଥିଲା। ସେହି ଗୋଷ୍ଠୀର ଇସି ମେମ୍ବରମାନଙ୍କୁ ସରକାରୀ ସହାୟତା ମିଳୁଥିଲା ଏବଂ ଏହା ଦ୍ବାରା ସେମାନେ ଉପକୃତ ହେବା ସହ ସ୍ବାବଲମ୍ବୀ ହୋଇପାରିଥିଲେ। ତେବେ ସରକାର ପରିବର୍ତ୍ତନ ହେବା ପରେ ସେମାନଙ୍କୁ ବହିଷ୍କାର କରାଯାଇ ନୂତନ ଇସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ଉଚ୍ଚନ୍ୟାୟାଳୟରେ ମାମଲା ରୁଜୁ ହୋଇଥିବା ଏବଂ ଆସନ୍ତା ଅକ୍ଟୋବର ୧୩ ତାରିଖ ଦିନ କୌଣସି ରାୟ ପ୍ରକାଶ ପାଇବାକୁ ଥିବାବେଳେ ତରବରିଆ ଭାବେ ଜବରଦସ୍ତି ନୂତନ ଇସି ଗଠନ କାର୍ଯ୍ୟ ଜାରି ରହିଛି। ଏହାର ପ୍ରତିବାଦ କରି ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଗଣ ବିଡିଓ ଦୂତିକୃଷ୍ଣ ପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।