ଅମ୍ରିତସରରେ ‘ସିଦ୍ଧୁଙ୍କ ନିଖୋଜ’ ପୋଷ୍ଟର

ଅମ୍ରିତସର,୨।୬ : କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ ନିଖୋଜ ଥିବା ପୋଷ୍ଟର ଅମ୍ରିତସରର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏକ ଏନ୍‌ଜିଓ ପକ୍ଷରୁ ମଙ୍ଗଳବାର ରାତିରେ ଲଗାଇଯାଇଛି ଏହି ପୋଷ୍ଟର। ଏଥିରେ ନିଖୋଜ ବିଧାୟକଙ୍କୁ ବିଧାନସଭା ଆଣିଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଉଲ୍ଲେଖ ରହିଛି।

ଏନ୍‌ଜିଓ ପ୍ରତିନିଧି ଅନିଲ କୁମାର ବିଶିଷ୍ଟ ବଣ୍ଟି ଅଭିଯୋଗ କରିଛନ୍ତି, ଅମ୍ରିତସରର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀର ବାସୀନ୍ଦାଙ୍କୁ ସିଦ୍ଧୁ ମିଳୁ ନାହାନ୍ତି। ଏହି ଅଞ୍ଚଳରେ ସିଦ୍ଧୁଙ୍କ କାର୍ଯ୍ୟକାଳରେ କୌଣସି ପ୍ରକାର ଉନ୍ନତିମୂଳକ କାମ ହୋଇନାହିଁ। ପୂରା ନିର୍ବାଚନ ମଣ୍ଡଳୀର ରାସ୍ତା ଉପରେ କୁଢ଼ କୁଢ଼ ଅଳିଆ ଓ ପାଣି ଦେଖାଯାଉଛି।

ଅମ୍ରିତସରରେ ସିଦ୍ଧୁ ନିଖୋଜ ପୋଷ୍ଟର ଦେଖିବାକୁ ମିଳିବା ପ୍ରଥମ ଘଟଣା ନୁହେଁ । ପ୍ରାୟ ୧୦ ବର୍ଷ ତଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ସେତେବେଳେ ସେ ଭାଜପାର ସଦସ୍ୟ ଥିଲେ।