କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।
ପୋଲିସ ମୃତଦେହ ଜବତ୍ କରି ବ୍ୟବଚ୍ଛେଦ ପରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ମୃତକଙ୍କ ପରିବାର ଲୋକେ କୋକସରା ପୋଲିସ ସହ ଯୋଗାଯୋଗ କରି ମେଡିକାଲରେ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି। ମୃତ ବ୍ୟକ୍ତି ଜଣକ ଜୟପାଟଣା ଥାନା ଅନ୍ତର୍ଗତ ଅଁଲାଭଟା ପଞ୍ଚାୟତ କୋକଡି ଗ୍ରାମର ସୁନ୍ଦର ମାଝୀ ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ସୁନ୍ଦର ଗତ ରବିବାରଠାରୁ କୁଲା, ଟୋପା ବିକ୍ରୀ କରିବା ପାଇଁ ଘରୁ ବାହାରି ଥିଲେ। ହେଲେ ସେ ଆଉ ଘରକୁ ଫେରି ନ ଥିଲେ। ଗୁରୁବାର ଇନ୍ଦ୍ରାବତୀ କେନାଲରୁ ପୋଲିସ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।