ମିଲ୍‌ ତାଲା ଭାଙ୍ଗି ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଦିଗପହଣ୍ଡି ପୋଲିସ ପହଞ୍ଚି…

ଦିଗପହଣ୍ଡି,୧୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ପଞ୍ଚାୟତ ଅଫିସ ନିକଟରେ ଥିବା ବାବୁ ସାହୁଙ୍କ ମା’ ମହୁରୀ କାଳୁଆ ଫ୍ଲୋର ମିଲ ମୁଖ୍ୟ ଫାଟକ ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ପ୍ରାୟ ୨ ଲକ୍ଷ ୧୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଲ ମାଲିକ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୨୫୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଶୁକ୍ରବାର ସାରେ ସାଇଣ୍ଟିଫିକ୍‌ ଟିମ ଓ ଡ଼ଗ ସ୍କୁଆର୍ଡ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଛନ୍ତି। ବୁଧବାର ସାରେ ମିଲ କର୍ମଚାରୀ ମାନେ ତାଲା ପକାଇ ଘରକୁ ଯାଇଥିଲେ। ଗୁରୁବାର ସକାଳେ ମିଲ କବାଟ ତାଲା ଭଙ୍ଗା ଯାଇଥିବା କର୍ମଚାରୀ ମାନେ ଦେଖିବା ପରେ ମାଲିକଙ୍କୁ ଖବର ଦେଇଥିଲେ। ମିଲ ମାଲିକ ସେଠାରେ ପହଞ୍ଚି ଦେଖିବାବେଳେ ଦୁର୍ବୃତ୍ତ ମାନେ ସିସିଟିଭିର ଯନ୍ତ୍ରାଂଶ ନେଇଯିବା ସହ ଅଫିସ ରୁମ ଡ୍ରରୁ ପ୍ରାୟ ୨ ଲକ୍ଷ ୧୫ ହଜାର ଟଙ୍କା ଲୁଟି ନେଇଥିଲେ। ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତମାନେ ଫାଟକ ତାଲା ଭଙ୍ଗାରେ ବ୍ୟବହୃତ ଏକ କଟୁରୀ, ହାତୁଡି ଜବତ କରିବା ସହ ସବିଶେଷ ତଦନ୍ତ କରି ଫେରିଥିବା ଜଣାପଡ଼ିଛି।

Share