ଭବାନୀପାଟଣା, ୫ା୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ଏ ସମ୍ପର୍କିତ ଭାଇରାଲ ଭିଡିଓ ଓ ଫଟୋର ତଦନ୍ତ କରିବାକୁ ଜିଲାସ୍ତରୀୟ ଏକ ୭ ଜଣିଆ କମିଟି ଗଠନ କରାଯାଇଥିଲା। ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ଗୁରୁବାର ବିଦ୍ୟାଳୟରେ ପହଞ୍ଚତ୍ ତଦନ୍ତ କରିଥିଲେ। ଏହି ସମୟରେ ଅଭିଯୋଗ ଆସିଥିବା ସମ୍ପୃକ୍ତ ୱାଡେନଙ୍କୁ ଡାକି କମିଟି ସଦସ୍ୟ ପଚାରିଥିଲେ। ସେହିପରି କମିଟିର ୩ଜଣିଆ ମହିଳା ସଦସ୍ୟା ଛାତ୍ରୀନିବାସକୁ ଯାଇ ଦୃଷ୍ଟିହୀନ ଛାତ୍ରୀଙ୍କୁ ଭାଇରାଲ ଭିଡିଓର ଘଟଣା ବିଷୟରେ ପଚାରିଥିଲେ। ଉକ୍ତ ଛାତ୍ରୀ ହଷ୍ଟେଲର ୱାଡେନ ତାଙ୍କୁ ଦୁର୍ବ୍ୟବହାର କିମ୍ବା ଅସଦାଚରଣ କରିନାହାନ୍ତି ବୋଲି କହିଥିଲେ। ପରେ ସଦସ୍ୟାମାନେ ହଷ୍ଟେଲର ଅନ୍ୟ ଅନ୍ତେବାସୀ ଛାତ୍ରୀଙ୍କୁ ମଧ୍ୟ ପଚାରି ବୁଝିଥିଲେ। କୌଣସି ଛାତ୍ରୀ ସମ୍ପୃକ୍ତ ୱାଡେନଙ୍କ ବିରୋଧରେ କୌଣସି ଆପତ୍ତି ଜନକ ବ୍ୟବହାର ପାଇନାହୁଁ ବୋଲି ପ୍ରକାଶ କରିଥିଲେ। ହଷ୍ଟେଲର ୱାଡେନ ଓ ଦୃଷ୍ଟିହୀନ ଛାତ୍ରୀଙ୍କ ବୟାନକୁ ଆଧାରକରି ତଦନ୍ତ କମିଟି ଉକ୍ତ ଭିଡିଓରେ ୱାଡେନ ସେହି ଦୃଷ୍ଟିହୀନ ଛାତ୍ରୀଙ୍କୁ କୌଣସି ଅସଦାଚରଣ କରିନାହାନ୍ତି ବୋଲି ଅନୁଭବ କରିଥିଲେ। ହଷ୍ଟେଲ ପରିସରରେ କିଛି ଛାତ୍ରୀଛାତ୍ର ସ୍ମାର୍ଟଫୋନ ବ୍ୟବହାର କରିଥିବା ଯୋଗୁଁ ଏପରି ବିଶୃଙ୍ଖଳା ସୃଷ୍ଟି ହୋଇଛି। ଏଥିପାଇଁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତଦନ୍ତ କମିଟି ଅବଗତ ହେବା ପରେ ଏକ କମିଟି ଗଠନ କରି ଉଭୟ ବିଦ୍ୟାଳୟ ଓ ହଷ୍ଟେଲର ନିୟମିତ ତଦାରଖ କରିବା ସହିତ ରିପୋର୍ଟ ଦାଖଲ କରିବା ପାଇଁ ଜିଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି।