ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ଜେଲ ଗଲେ ୩ ଅଭିଯୁକ୍ତ

ଥୁଆମୂଳ ରାମପୁର, ୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମର ସୁନି ସାହୁଙ୍କ ୧୫ ବର୍ଷିଆ ନାବାଳକ ପୁଅ ନରେଶ ସାହୁଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୋଲିସ ୩ଜଣଙ୍କୁ  ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।
ମୃତ ନାବାଳକଙ୍କ ମା’ ଥାନାରେ ଦେଇଥିବା ଅଭିଯୋଗ କ୍ରମେ, ନରେଶ ପାଖ ଗାଁର ଜଣେ ଝିଅଙ୍କୁ ପ୍ରେମ କରୁଥିଲେ। ଗତ ବୁଧବାର ଦୁହେଁ କଥା ହେବା ସମୟରେ ଝିଅଙ୍କ ମା’ ଦେଖିନେଇ ନରେଶଙ୍କୁ ଗାଳିଗୁଲଜ ସହ ମାରପିଟ ମଧ୍ୟ କରିଥିଲେ। ମା’ଙ୍କ ରାଗ ଦେଖି ଝିଅ ସେଠାରୁ ପଳାଇ ଯାଇ ଅନ୍ୟ ଜଣେ ବନ୍ଧୁଙ୍କ ଫୋନ୍‌ରୁନରେଶଙ୍କ ବିଷୟରେ ପଚାରୁଥିଲେ। ହେଲେ ସେ ଘରକୁ ଫେରି ନ ଥିବାରୁ ନାବାଳକଙ୍କ ପରିବାର ଲୋକଙ୍କୁ ଯାହା ଘଟିଥିଲା ତାହା କହିଥିଲେ। ଏହାକୁ ନେଇ ନରେଶଙ୍କ ବାପା ଏପରିକି ଆଖପାଖ ବନ୍ଧୁ ବାନ୍ଧବଙ୍କ ଘର ସହ ଅନ୍ୟାନ୍ୟ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ପୁଅ ନରେଶଙ୍କ ସନ୍ଧାନ ମିଳିପାରି ନ ଥିଲା। ଶେଷରେ ସେ ଝିଅଙ୍କ ପରିବାରକୁ ଦାୟୀ କରି ଥୁଆମୂଳ ରାମପୁର ପୋଲିସରେ ଗୁରୁବାର ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ନିଖୋଜ ମାମଲା କେସ ନମ୍ବର ୯୮/୨୫ ରୁଜୁ ତଦନ୍ତ ଜାରି ରଖିଥିଲା। ହେଲେ ଶନିବାର ଗ୍ରାମର କିଛି ଯୁବକ ଗଛରେ ନାବାଳକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ପରିବାରଲୋକଙ୍କୁ ଜଣାଇବାରୁ ପରିବାର ଲୋକେ ଥୁଆମୂଳ ରାମପୁର ଥାନାକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ଏସଆଇ ରଶ୍ମିରଞ୍ଜନ ବାଗ ଏବଂ ଏଏସଆଇ ପ୍ରହଲ୍ଲାଦ ପାଣିଗ୍ରାହୀ ଓ ପୋଲିସ କର୍ମଚାରୀଙ୍କ ସମେତ ମାଜିଷ୍ଟେଟ ସନାତନ ମହାରଣା ଘଟଣାସ୍ଥଳରେ ପହଞ୍ଚିବା ସହ ସନ୍ଧାନି କୁକୁର ଏବଂ ସାଇଣ୍ଟିଫିକ ଟିମକୁ ଖବର ଦେଇଥିଲେ।  ଖବର ପାଇ ତଦନ୍ତ ଅଧିକାରୀ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରବର୍ତ୍ତୀ ସମୟରେ ପରିବାରଲୋକଙ୍କୁ ମୃତଦେହ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯାଇଥିଲା l  ପୋଲିସ ଏହି ଘଟଣାରେ ତଦନ୍ତ କରି ଝିଅର ମା’ ଭଜନ୍ତି ରାଉତ ( ୩୫), ବାପା ଲେମ୍ବୁ ରାଉତ (୪୦) ଏବଂ ଶଙ୍କର ଗୌଡ଼ (୧୯)ଙ୍କୁ ଉ/ଡି ୧୦୮/୩(୫)ବିଏନ୍‌ଏସ୍‌ ଧାରାରେ ନାବାଳକକୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ସନ୍ଦେହରେ ଅଭିଯୁକ୍ତମାନଙ୍କୁ ଗିରଫ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କୈବଲ୍ୟ ସେଠ ସୂଚନା ଦେଇଛନ୍ତି l

Share
Tags: odisha