ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ):ସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ସାକ୍ଷ୍ୟ ପ୍ରମାଣ ଆଧାରରେ ସେ ଆସିକା ଥାନା ଅଞ୍ଚଳର କ୍ରିଷ୍ଣା ନାଇକ (୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ୧୧ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ପୀଡ଼ିତାଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୩ ମେ ୨୬ ତାରିଖରେ ଗାଁରେ ଏକ ବିବାହ ଭୋଜି ଚାଲିଥିଲା। ୧୩ ବର୍ଷୀୟା ନାବାଳିକାଙ୍କ ମା’ ବାପା ସେଠାକୁ ଯାଇଥିବା ବେଳେ ସେ ଘରେ ଏକାକୀ ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ କ୍ରିଷ୍ଣା ନାବାଳିକାଙ୍କ ଘରେ ପଶି ଭୟଭୀତ କରି ବାରମ୍ବାର ବଳାତ୍କାର କରିଥିଲେ। ଏ ବିଷୟରେ କାହାରିକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ରାତି ଭୋଜି ଖାଇସାରି ପରିବାର ଲୋକ ଘରକୁ ଫେରିବାରେ ଝିଅ କାନ୍ଦୁଥିବା ଦେଖିଥିଲେ। ଏହାପରେ ଝିଅ ଅଚେତ ହୋଇଯିବାରୁ ତାଙ୍କୁ ଆସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ବୟାନ ଅନୁଯାୟୀ ମା’ ଘଟଣା ସମ୍ପର୍କରେ ଆସିକା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୩୧୪/୨୩ରେ ମାମଲା ରୁଜୁ କରି ଘଟଣା ପରଠୁ ଫେରାର ଥିବା ଅଭିଯୁକ୍ତ କ୍ରିଷ୍ଣାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ବେଳେ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସାକ୍ଷୀଙ୍କ ବୟାନ ଓ ଚାର୍ଜଶିଟ ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।